ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୭ତମ GST କାଉନସିଲ ବୈଠକରେ GST ନିୟମକୁ ସରଳ କରିବା ସହ ବ୍ୟବସାୟୀଙ୍କୁ ଅନାବଶ୍ୟକ ଆଇନଗତ ଜଟିଳତାରୁ ମୁକ୍ତି ଦେବା ଦିଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବୈଠକର ନିଷ୍ପତ୍ତି ଅନୁଯାୟୀ GST ଅଧିକାରୀଙ୍କ ଗିରଫ କ୍ଷମତାକୁ ସୀମିତ କରାଯିବା। ନିର୍ଦ୍ଦିଷ୍ଟ ମାମଲାରେ ଅଧିକାରୀମାନଙ୍କୁ ସିଧାସଳଖ ଗିରଫ କରିବାର ଅଧିକାର ଉପରେ ଅଙ୍କୁଶ ଲଗାଯାଇଛି। ଏହା ଫଳରେ ସାଧାରଣ କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ ବ୍ୟବସାୟୀଙ୍କ ବିରୋଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କମିବ।GST କାଉନସିଲରେ ଅପରାଧିକ ମାମଲା ଆରମ୍ଭ କରିବାର ସୀମାକୁ ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରିବାକୁ ଅନୁମୋଦନ ଦିଆଯାଇଛି । ଅର୍ଥାତ୍ ୫ କୋଟି ଟଙ୍କାରୁ ଅଧିକ ଟିକସ ଚୋରି କିମ୍ବା ଠକେଇ ଅଭିଯୋଗ ନଥିଲେ ଅପରାଧିକ ମାମଲା ଆରମ୍ଭ କରିବାର ପ୍ରକ୍ରିୟା ହେବ ନାହିଁ । ଗୁରୁତର ଠକେଇ ଏବଂ ସାଧାରଣ ଭୁଲ ମଧ୍ୟରେ ପାର୍ଥକ୍ୟ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ଇ-କମର୍ସ ଏବଂ ଛୋଟ ବିକ୍ରେତାଙ୍କ ପାଇଁ GST ନିୟମକୁ ସରଳ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି। ଏହା ଅଧୀନରେ ଶୋ-କଜ୍ ନୋଟିସ୍ ଜାରି କରିବା ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କାର ସୀମା ଧାର୍ଯ୍ୟ କରିବା ଭଳି ପଦକ୍ଷେପ ଉପରେ ସହମତି ହୋଇଛି ।ଏହା ଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ଛୋଟ ଛୋଟ ମାମଲାରେ ଅନାବଶ୍ୟକ ନୋଟିସ୍ର ସାମ୍ନା କରିବାକୁ ପଡ଼ିବ ନାହିଁ ।










