ଜମ୍ମୁ-କାଶ୍ମୀର: କୃଷ୍ଣାଘାଟି ସେକ୍ଟରରେ ଆତଙ୍କବାଦୀ ଭାରତୀୟ ସେନା ବିଛାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଲସ୍କର-ଏ-ତୌୟବା (ଏଲଇଟି)ର ଜଣେ ବରିଷ୍ଠ କମାଣ୍ଡର ସହିତ ୪ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ସୋମବାର କୃଷ୍ଣାଘାଟି ସେକ୍ଟରର ସତବାଲ-ନାକି କ୍ଷେତ୍ରରେ ଘଟିଛି। ଏହି ଅଞ୍ଚଳଟି ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ମାର୍ଗ ଭାବେ ବେଶ୍ ଜଣାଶୁଣା। ଏହି ରାସ୍ତା ଦେଇ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ପିଓକେ ପଟରୁ ସୋମବାର ଦିନ ଭାରତକୁ ଆସୁଥିବା ଆତଙ୍କବାଦୀ ଦଳ ଯେମିତି ଫରୱାର୍ଡ ଅଞ୍ଚଳକୁ ପହଞ୍ଚିଛନ୍ତି ସେଠାରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିଯାଇଥିଲେ। ବିସ୍ଫୋରଣରେ ସେମାନେ ନିହତ ହୋଇଛନ୍ତି l ପ୍ରାଣ ହରାଇଥିବା ୪ ଜଣ ଆତଙ୍କବାଦୀ ପିଓକେର ପୁଞ୍ଛ ଜିଲ୍ଲା ହଜିରା ତହସିଲ ଅନ୍ତର୍ଗତ ମଣ୍ଡଲା ଓ ମଦରପୁର କ୍ଷେତ୍ରର ବାସିନ୍ଦା ଥିଲେ। ମୃତକଙ୍କୁ ମହମ୍ମଦ ଫୈଜାନ, ମହମ୍ମଦ ଇସ୍ତିୟାକ୍, ମହମ୍ମଦ ଭକାସ ଓ ମହମ୍ମଦ ଅସୀମ ଭାବେ ଚିହ୍ନଟ କରାଯାଇଛି। ଏଥିରେ ମହମ୍ମଦ ଫୈଜାନ ଲସ୍କରର ଜଣେ ଶୀର୍ଷ କମାଣ୍ଡର ଥିଲା ବୋଲି ଜଣାପଡିଛି।









