ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ ଟି, ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ର ୨ଟି, ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଓଏସ୍ସିଏମ୍ଏଫ୍ (OSCMF) ଓ ଓଏସ୍ଏସ୍ସି (OSSC) ପାଇଁ ୧,୩୬୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ୨୦୨୬-୨୭ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଏହି ଯୋଜନା ଲାଗୁ ହେବ । ଏଥିରେ OSCMF ପାଇଁ ୯୬୦ କୋଟି ଓ OSSC ପାଇଁ ୪୦୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ପାଣ୍ଠି ମାଧ୍ୟମରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଣ ସହ ଉନ୍ନତମାନର ବିହନ ଉପଲବ୍ଧ କରାଇବା ଏବଂ ବିହନ ଉତ୍ପାଦକ ଓ ଯୋଗାଣକାରୀଙ୍କୁ ଠିକ ସମୟରେ ଅର୍ଥ ପ୍ରଦାନ ସୁନିଶ୍ଚିତ କରାଯିବ ।
ସେହିପରି କ୍ୟାବିନେଟ ‘ଦକ୍ଷତା ବିକାଶ ଯୋଜନା’କୁ ଅନୁମୋଦନ କରିଛି । ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ୪୫୦ କୋଟି ଟଙ୍କା ବ୍ୟୟ ହେବ । ଏହାଦ୍ୱାରା ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ, ଡିଜିଟାଲ୍ ଟ୍ରେନିଂ ଓ ବିଦେଶରେ ନିଯୁକ୍ତି ସୁଯୋଗ ପାଇଁ ସହାୟତା ମିଳିବ । ଏହି ଯୋଜନାରେ ୧.୧୭ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଆଧାରିତ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ଏବଂ ୩ ଲକ୍ଷ ଯୁବକ-ଯୁବତୀଙ୍କୁ ଏଆଇ, କ୍ଲାଉଡ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ । ଏଥିସହ ବିଦେଶରେ ନିଯୁକ୍ତି ପାଇଁ ଭାଷା ପ୍ରଶିକ୍ଷଣ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ । ଏହା ସହିତ ଶିକ୍ଷକ ଓ ଅଧିକାରୀଙ୍କ ବରିଷ୍ଠତା ନିର୍ଦ୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପ୍ରାଥମିକ ଶିକ୍ଷା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ, ୧୯୯୭ରେ ସଂଶୋଧନ କରାଯିବ । ବର୍ତ୍ତମାନ ଲେଭଲ୍-IIIରେ କାର୍ଯ୍ୟକାଳ ଆଧାରରେ ଲେଭଲ୍-II (ABEO) ପଦର ବରିଷ୍ଠତା ନିର୍ଦ୍ଧାରଣ ହେଉଥିବାରୁ କନିଷ୍ଠ କର୍ମଚାରୀ ବରିଷ୍ଠଙ୍କ ଉପରେ ସ୍ଥାନ ପାଉଥିବା ସମସ୍ୟା ଦେଖାଦେଇଛି । ଏଣିକି ଚୟନ ତାଲିକାରେ ଥିବା ସ୍ଥାନକୁ ବରିଷ୍ଠତା ନିର୍ଦ୍ଧାରଣର ଆଧାର କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସରକାରୀ ମାଧ୍ୟମିକ ଶିକ୍ଷକଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀକୁ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ନୂଆ ନିୟମାବଳୀ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬’ ପ୍ରଣୟନ କରିଛନ୍ତି । ଏହା ଦ୍ୱାରା ନିଯୁକ୍ତି ମାନଦଣ୍ଡରେ ସମାନତା ଆଣିବା ସହ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା ଏବଂ ପଦୋନ୍ନତିର ସୁଯୋଗ ମିଳିବ । ନୂଆ ନିୟମ ୧୯୯୩ର ପୁରୁଣା ସେବା ନିୟମାବଳୀକୁ ବଦଳାଇବ । ସେହିପରି ରାଜ୍ୟର ସହରାଞ୍ଚଳରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ‘ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ଓ ଉନ୍ନତିକରଣ କାର୍ଯ୍ୟକ୍ରମ’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ ୫ ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପୌରାଞ୍ଚଳ ଓ ଚୟନିତ ବ୍ଲକ ମୁଖ୍ୟାଳୟରେ ଡ୍ରେନ ସଫେଇ, ଆର୍ସିସି ଡ୍ରେନ ନିର୍ମାଣ, ଡ୍ରେନ ଆଚ୍ଛାଦନ ଏବଂ ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର କରାଯିବ । ଏହା ଦ୍ୱାରା ଜଳବନ୍ଦୀ ସମସ୍ୟା ହ୍ରାସ ପାଇବା ସହ ଭୂତଳ ଜଳସ୍ତର ବୃଦ୍ଧି ଓ ସହରାଞ୍ଚଳର ସୁରକ୍ଷା ଦିଗରେ ସହାୟତା ମିଳିବ ।











