ନୂଆଦିଲ୍ଲୀ: ରାଜ୍ୟରେ ଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ମଣିପୁର ହାଇକୋର୍ଟ ଆସନ୍ତା ୩୦ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ମଣିପୁରରେ ଜନଗଣନା ଉପରେ ରୋକ୍ ଲଗାଇଛନ୍ତି । ହିଂସା ଯୋଗୁଁ ରାଜ୍ୟରେ ବିସ୍ଥାପନ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିବା କିନଲିପାକ୍ ଛାତ୍ର ସଂଘ (KSA), ଇଣ୍ଟରନ୍ୟାସନାଲ୍ ପିସ୍ ଆଣ୍ଡ୍ ସୋସିଆଲ୍ ଆଡଭାନ୍ସମେଣ୍ଟ (IPSA) ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଦାୟର ଆବେଦନଗୁଡ଼ିକର ଶୁଣାଣି କରିଛନ୍ତି । ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଏମ୍.ସୁନ୍ଦରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ, କେନ୍ଦ୍ର ସରକାର ଏବଂ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କୁ ଜନଗଣନା ପୂର୍ବରୁ ଉଠାଯାଇଥିବା ସମସ୍ତ ଆପତ୍ତି ଏବଂ ଆବେଦନଗୁଡ଼ିକୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ଯୋଗୁଁ ହଜାର ହଜାର ଘର ନଷ୍ଟ ହୋଇଛି, ଲୋକମାନେ ନିଜ ଭିଟ୍ଟାମାଟି ଛାଡି ରିଲିଫ୍ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି, ଏବଂ ଅନେକ ରାସ୍ତା ଅବରୋଧ ହୋଇଛି। ଏପରି ପରିସ୍ଥିତିରେ, ସଠିକ୍ ଜନଗଣନା କରିବା ଅସମ୍ଭବ।
ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଛି ଯେ ହିଂସା ପରେ ପାହାଡ଼ି ଅଞ୍ଚଳରେ ଅନେକ ଅନଧିକୃତ ଗାଁ ଗଢ଼ି ଉଠିଛି । ବାହାର ଲୋକଙ୍କ ଏବଂ ବାଂଲାଦେଶୀ ପ୍ରବାସୀମାନଙ୍କ ପ୍ରବେଶ ଦ୍ୱାରା ଜନସଂଖ୍ୟା ସନ୍ତୁଳନ ବିଗିଡ଼ି ଯାଇଛି। ଜନଗଣନା କରିବା ପୂର୍ବରୁ ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକାର (NRC)କୁ ଅପଡେଟ୍ କରାଯାଉ, ସଠିକ୍ ଜନସଂଖ୍ୟାର ପୁନଃମୂଲ୍ୟାୟନ କରାଯାଉ ଏବଂ ତା’ପରେ ହିଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗକୁ ବଢ଼ାଯାଉ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି। ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବେଦନକାରୀ କିମ୍ବା ଅନ୍ୟ କୌଣସି ସଂଗଠନ କିମ୍ବା ବ୍ୟକ୍ତି ନଭେମ୍ବର ୨୫, ୨୦୨୬ ସୁଦ୍ଧା ଜନଗଣନା କମିଶନରଙ୍କ ନିକଟରେ ସେମାନଙ୍କର ଅତିରିକ୍ତ ଆପତ୍ତି ଏବଂ ଆବେଦନ ଦାଖଲ କରିପାରିବେ । ସାଧାରଣ ଶୁଣାଣି କିମ୍ବା ସାଧାରଣ ପରାମର୍ଶ ପରେ ରେଜିଷ୍ଟ୍ରାର ଜେନେରାଲ ୩୦ ଏପ୍ରିଲ ୨୦୨୭ ସୁଦ୍ଧା ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରିବେ। କେନ୍ଦ୍ର ସରକାର ଏବଂ ରେଜିଷ୍ଟ୍ରାର ଜେନେରାଲଙ୍କ ନିର୍ଦ୍ଦେଶ ପରେ ମଧ୍ୟ, ଜନଗଣନା ପ୍ରକ୍ରିୟା ଆଗାମୀ ୪ ସପ୍ତାହ ପାଇଁ ସ୍ଥଗିତ ରହିବ ।

LEAVE A REPLY

Please enter your comment!
Please enter your name here