ସମ୍ବଲପୁର: ନିଶା କାରବାର ବେଳେ ସମ୍ବଲପୁର ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର କଫ୍ ସିରପ୍ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି | ୫୫ ନମ୍ବର ଜାତୀୟ ରାଜପଥ ହାତୀବାରୀ ନିକଟରେ ଏକ ପିକଅପ୍ ଭ୍ୟାନରୁ ପ୍ରାୟ ୨,୪୦୦ ବୋତଲ କଫ୍ ସିରପ୍ ଏବଂ ୧,୦୫୦ଟି ନିଦ ବଟିକା ଜବତ କରାଯାଇଛି। ଏହି ମାମଲାରେ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏକ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଆଜି ହାତୀବାରୀ ଟୋଲ୍ ପ୍ଲାଜା ନିକଟରେ ଏହି ଗାଡ଼ିକୁ ଅଟକାଇଥିଲେ। ସୂଚନା ଅନୁଯାୟୀ, ଏହି କଫ୍ ସିରପ୍ କଟକର ଜଗତପୁର ଅଞ୍ଚଳରୁ ସମ୍ବଲପୁର ଏବଂ ବରଗଡ଼ ଅଭିମୁଖେ ନିଆଯାଉଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଅବକାରୀ ବିଭାଗ ଏହି ନିଶା କାରବାରର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଖୋଜୁଛି। ଏହି କାରବାର କେଉଁଠାରୁ ଆରମ୍ଭ ହୋଇଥିଲା ଏବଂ ଏଥିରେ କେଉଁ ବଡ଼ ଗ୍ୟାଙ୍ଗର ହାତ ରହିଛି, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।














