ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ. ସପରିବାର ସହ ସେ ଓଡିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରିବେ . ତେବେ କେସିଆରଙ୍କ ଓଡିଶାଗସ୍ତକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି. ରବିବାର ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ. ମିଳିଥିବା ସୂଚନା ଅନୁସାରେ, କେ. ଚନ୍ଦ୍ରଶେଖର ରାଓ ନବୀନ ନିବାସରେ ରାତ୍ରିଯାପନ ବି କରିବେ. ତେବେ ପୂର୍ବରୁ ଯେତେଜଣ ନେତା ଆସିଛନ୍ତି ସେମାନେ ନବୀନ ନିବାସରେ ରାତ୍ରିଯାପନ କରିନାହାନ୍ତି. କେବଳ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରି ଭୋଜନ କରିବାର ନଜୀର ରହିଛି. ନବୀନ ନିବାସରେ କେସିଆରଙ୍କ ରାତ୍ରୀଯାପନ ଦୁଇ ନେତାଙ୍କ ବନ୍ଧୁତାକୁ ସ୍ପଷ୍ଟ କରୁଛି. ତେଲେଙ୍ଗାନାରେ କେସିଆରଙ୍କ ବିଜୟ ପରେ ଆଞ୍ଚଳିକ ଦଳର ନେତୃତ୍ବ ନେଉଥିବାଙ୍କ ଦୁଇ ରାଜ୍ୟର ନେତା ଏବେ ମିଳିତ ଭାବେ କେନ୍ଦ୍ର ରାଜନୀତିକୁ ପ୍ରଭାବିତ କରିବେ. 2019 ସାଧାରଣ ନିର୍ବାଚନରେ ଅଣବିଜେପି ଦଳକୁ ଏକଜୁଟ କରି ନୂଆ ମେଣ୍ଟ ଗଠନରେ କେସିଆର ଓ ନବୀନଙ୍କ ଯୋଡି ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି.