ପ୍ରସବ ବେଦନାରେ ଛଟପଟ ହେଉଥିଲେ ମହିଳା । ମଝିରେ ମଝିରେ କଷ୍ଟ ସହି ନ ପାରି ମୁର୍ଚ୍ଛା ହେଉଯାଉଥିଲେ ମହିଳାଜଣକ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଭିତରେ ମହିଳା ଜଣକ ଏମିତି ଛଟପଟ ହେଉଥିଲେ ବି ଚିକିତ୍ସା କରୁ ନଥିଲେ ଡାକ୍ତର । ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ, ଦୀର୍ଘ ଚାଳିଶ ଘଣ୍ଟା ଧରି ସେ ଯନ୍ତ୍ରଣାରେ ଛଟପଟ ହେବା ପରେ ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର । ଅସ୍ତ୍ରୋପଚାର କରି ତୁରନ୍ତ ପ୍ରସବ ନିମନ୍ତେ ପରିବାର ଲୋକେ ଗୁହାରି କରିଥିଲେ ମଧ୍ୟ ଡାକ୍ତର କହିଥିଲେ ନର୍ମାଲ ଡେଲିଭରି ନିମନ୍ତେ ଅପେକ୍ଷା କରିବାକୁ । କାରଣ ପ୍ରସୂତି ଜଣେ ଥିଲେ ଏଡସ୍‌ ରୋଗୀ । ପରିଶେଷରେ ଗଣମାଧ୍ୟମ ପ୍ରତିନିଧି ଓ କେତେକ ସ୍ୱେଚ୍ଛାସେବୀ କର୍ମୀ ପହଞ୍ଚିବା ପରେ ଅସ୍ତ୍ରୋପଚାର ନିମନ୍ତେ ମହିଳାଙ୍କୁ ନିଆଯାଇଥିଲା। ହେଲେ ସେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଚିକିତ୍ସାରେ ଅବହେଳା ଯୋଗୁ ଛୁଆଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହା ଗୋଟିଏ ଘଟଣା ନୁହେଁ। ମୟୂରଭଞ୍ଜ ଜିଲ୍ଲାରେ ଏଡସ୍‌ ରୋଗୀଙ୍କୁ ସବୁବେଳେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପ୍ରସୂତି ବିଭାଗ କିମ୍ୱା ମେଡିକାଲ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମାତ୍ର ଏହି ଘଟଣା ସରକାରୀ ଡାକ୍ତରଖାନାରେ ଯେ ସବୁକିଛି ଠିକ୍ ଚାଲିନି, ଏହା ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here