ରାୟଗଡାରେ ଦୁଇ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା । ଋୁଷ ଦୂତାବାସ କହିଛି ଯେ, ଓଡିଶା ପୋଲିସକୁ ଏପର୍ଯ୍ୟନ୍ତ କୌଣସି ଅପରାଧିକ ଲିଙ୍କ୍ ମିଳିପାରିଲା ନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ପୁଟିନଙ୍କ ବଡ ସମାଲୋଚକ ଥିଲେ ଧନୀ ସାଂସଦ ପାୱେଲ ଆନ୍ଥୋବ ଏବଂ ଭ୍ଲାଦମିରି ୱିଡନୋବ । ରାୟଗଡାର ଏକ ହୋଟେଲରେ ଦୁଇଦିନ ବ୍ୟବଧାନରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ରୁଷର ସାଂସଦ ଥିଲେ ପାୱେଲ ଆନ୍ଥୋବ । ନିକଟରେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସମାଲୋଚନା କରି ଏକ ବାର୍ତ୍ତା ପଠାଇଥିଲେ ।
ପୋଲିସ କହିଛି ଯେ, ୬୫ ବର୍ଷୀୟ ପାୱେଲଙ୍କୁ ଶନିବାର ଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲ ବାହାରୁ ଉଦ୍ଧାର କରାଯାଇଥିଲା । ହୋଟେଲର ତିନି ମହଲାରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସନ୍ଦେହ ହେଉଛି ଯେ ଏହା ଆତ୍ମହତ୍ୟା । କାହିଁକି ନା ପାୱେଲ ଆନ୍ଥୋବ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ପରେ ଉଦାସ ଥିଲେ । ପାୱେଲଙ୍କ ସହଯାତ୍ରୀ ଭ୍ଲାଦମିରି ୱିଡନୋବଙ୍କୁ ୨୨ ଡିସେମ୍ବରରେ ହୋଟେଲର ପ୍ରଥମ ମହଲାରେ ନିଜ ରୁମରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ନିକଟରୁ କିଛି ଖାଲି ମଦ ବୋତଲ ମିଳିଥିଲା । ଅଚେତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁଇ ଋଷୀୟଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରହିଛି । ଆବଶ୍ୟକ ହେଲେ ପୁରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଡିଜିପି କହିଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଜଣାପଡିବ ବୋଲି ଆଶା କରାଯାଉଛି । ତେବେ ଋଷୀୟ ସାଂସଦଙ୍କ ମୃତ୍ୟୁକୁ ନେଇ ଋଷ୍ ପ୍ରତିକ୍ରିୟା ପ୍ରକାଶ କରିବା ପରେ ପୋଲିସ ତନାଘନା ଆରମ୍ଭ ହୋଇଛି । ରାୟଗଡା ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here