କଳିଯୁଗର ବସୁଦେବ ସାଜିଲେ ଗୋବିନ୍ଦ ଚାୱଡା । ଆପଣଙ୍କୁ ଭଗବାନ କୃଷ୍ଣ ଓ ବସୁଦେବଙ୍କ କଥା ମନେ ପକାଇଦେବ ଏ ଦୃଶ୍ୟ । ଏକ ଦେଢ ମାସର ଶିଶୁକୁ ପ୍ଲାଷ୍ଟିକ ଝୁଡିରେ ରଖି ଜଣେ ପୁଲିସ କର୍ମୀ ସୁରକ୍ଷିତ ସ୍ଥାନରେ ପହଁଚାଇଛନ୍ତି । ଗୁଜୁରାଟର ବଡୋଦରାରେ ମୁଷଳଧାରାରେ ବର୍ଷା ହେଉଥିବା କାରଣରୁ ବନ୍ୟା ସ୍ଥିତି ଉପୁଜିଛି । ସଡକ ଉପରେ ବନ୍ୟାଜଳ ଚାଲୁଥିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସହରରେ ଏଭଳି ବିପତ୍ତିକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ଜୀବନକୁ ବାଜି ଲଗାଇ ପୋଲିସ କର୍ମୀ ଗୋବିନ୍ଦ ଚାୱଡା । ଉଦ୍ଧାର କରିଛନ୍ତି ଦେଢ ମାସର ଶିଶୁକୁ । ବଡୋଦରା ବିଶ୍ୱାମିତ୍ରୀ ରେଲୱେ ଷ୍ଟେସନ ନିକଟରେ ଦେବପୁରା ସେଟଲମେଣ୍ଟରେ ୭୦ଟି ପରିବାର ବନ୍ୟା ଘେରରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଦେଢ ମାସର ଶିଶୁ ସହ ଏକ ପରିବାର ଥିଲା । ଯେଉଁମାନେ କି ଜଳସ୍ତର ଦେଖି ରାସ୍ତା ପାର କରିବାକୁ ସାହାସ ଜୁଟାଇ ପାରୁ ନଥିଲେ । ଏହି ସମୟରେ ଜଣେ ପୁଲିସ କର୍ମୀ ଗୋବିନ୍ଦ ଚାୱଡା ପରିବାରକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ । ସେ ଏକ ପ୍ଲାଷ୍ଟିକ ଝୁଡିରେ ଶିଶୁଟିକୁ ରଖି ରାସ୍ତା ପାର କରି ସୁରକ୍ଷିତ ସ୍ଥାନରେ ପହଁଚାଇଥିଲେ । ତେବେ ସେଠାରେ ଥିବା ସମସ୍ତ ବ୍ୟକ୍ତି ଏହି ଦୃଶ୍ୟ ଦେଖି ଗୋବିନ୍ଦଙ୍କୁ ପ୍ରଶଂସା କରିବାକୁ ଲାଗିଥିଲେ ।

LEAVE A REPLY

Please enter your comment!
Please enter your name here