ଗଛକଟା ଉପରେ ଲାଗିଲା ରୋକ୍ । ରାଜଧାନୀରେ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ ନିମନ୍ତେ ସରକାର ଆରମ୍ଭ କରିଥିବା ଗଛକଟା ଅଭିଯାନ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଏଥିସହିତ ସତ୍ୟପାଠ ଜରିଆରେ ବହୁତଳ ପ୍ରାସାଦ ସଂପର୍କରେ ବିସ୍ତୃତ ସୂଚନା, ପ୍ରାସାଦ ପାଇଁ ଗଛକଟା ସଂପର୍କିତ ତଥ୍ୟ ଏବଂ ବନୀକରଣ ସଂପର୍କରେ ତଥ୍ୟ ଦେବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 27 ତାରିଖରେ ପରବର୍ତ୍ତି ଶୁଣାଣୀ ହେବ । ଅନ୍ୟାଦେଶ ପର୍ଯ୍ୟନ୍ତ ଗଛକଟା ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣୀ ବେଳେ ଗଛ ନ କାଟି ପ୍ରାସାଦ ନିର୍ମାଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ହାଇକୋର୍ଟ । ତେବେ ସରକାରୀ ଓକିଲ ସବୁ କାର୍ଯ୍ୟ ନିୟମ ଅନୁଯାୟୀ ହେଉଥିବା କହିଥିବା ବେଳେ କୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କହିଛନ୍ତି । ବିଧାୟକଙ୍କ ଘର ନିର୍ମାଣ ପାଇଁ ଶହ ଶହ ଗଛ କଟା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ପ୍ରଚଣ୍ଡ ବିରୋଧ କରାଯାଇଥିଲା । ଗଛକଟାକୁ ବିରୋଧ କରି ଏ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା ।

LEAVE A REPLY

Please enter your comment!
Please enter your name here