ନିଜ ଜନ୍ମମାଟିର ବାସ୍ନା, ବଣପାହାଡ ଘେରା ଗାଁ, ଝରଣାର କୁଳୁକୁଳୁ ଶବ୍ଦ, ମୟୁରଭଞ୍ଜର ପ୍ରାକୃତିକ ଶୋଭାରାଜିରେ ଅନେକଥର ବିଭୋର ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାତ୍ର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଆଜି ନିଜ ଜନ୍ମମାଟିରେ ପାଦ ଦେଇଥିଲେ ଦ୍ରୌପଦୀ । ସକାଳ 10 ଟା 20ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ମୟୁରଭଞ୍ଜର ବାଦାମପାହାଡ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲା । ସେଠାରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରସକଣା ବିଧାୟକ । ସମସ୍ତେ ରାଷ୍ଟ୍ରପତିଙ୍କୁ ଉଚ୍ଛ୍ବସିତ ସ୍ବାଗତ କରିଥିଲେ । ବାଦାମପାହାଡ ତଥା ଆଖପାଖ ଅଞ୍ଚଳର ଲୋକେ ରାଷ୍ଟ୍ରପତିହ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ । ନିଜ ମାଟିର ଝିଅ ଦେଶର ସର୍ବୋଚ୍ଚ୍ ପଦବୀ ମଣ୍ଡନ କରିବାର ଖୁସିରେ ବିଭୋର ଥିଲେ ସମସ୍ତେ । ଦ୍ରୌପଦୀ ମୁର୍ମୁ ସମବେତ ଲୋକଙ୍କୁ କେବଳ ହାତ ହଲେଇ ସମ୍ବର୍ଦ୍ଧନାର ଉତ୍ତର ଦେଇ ନ ଥିଲେ, ପାଖକୁ ଯାଇ ଲୋକଙ୍କୁ ସେମାନଙ୍କ ଭଲମନ୍ଦ ପଚାରିଥିଲେ ।
ରାଷ୍ଟ୍ରପତି ବାଦାମପାହାଡରୁ ଯାଇଥିଲେ ପାହାଡପୁର । ସେଠାରେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ ଲିପୁନ ସିପୁନ ସ୍କୁଲ ତାଙ୍କୁ ଅପେକ୍ଷା କରି ରହିଥିଲା । ଛାତ୍ରଛାତ୍ରୀ, ଶିକ୍ଷକ କର୍ମଚାରୀ ସମସ୍ତେ ଖୁସିରେ ଆତ୍ମହରା । ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ 120 ଜଣ ବନ୍ଧୁବାନ୍ଧବଙ୍କ ସହ କଥାବାର୍ତ୍ତା କରିଥିଲେ ସେ । ଗୋଷାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ସାତପୁଟିଆ ଯାଇ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଶା କିପରି ଯୁବକଙ୍କୁ ପଥଭ୍ରଷ୍ଟ କରୁଛି, ସେଥିପାଇଁ ସଚେତନତାର ଆବଶ୍ୟକ ରହିଛି ବୋଲି କହିଥିଲେ ।

ଆସନ୍ତକାଲି ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିମିଳିପାଳ ଅଭୟାରଣ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here