ଆସନ୍ତା 6 ତାରିଖ ସୁଦ୍ଧା ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ ଅବପାତରେ ପରିଣତ ହୋଇ ଯଦି ବାତ୍ୟା ରୂପ ନିଏ, ତେବେ ଆଉ ତିନିଦିନ ଲାଗିଯିବ । ଅର୍ଥାତ 6 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ 7 ତାରିଖରେ ଲଘୁଚାପରେ ପରିଣତ ହେବ ଏବଂ 8 ତାରିଖରେ ଅବପାତର ରୂପ ନେବ । ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲଘୁଚାପ ବାତ୍ୟାରେ ପରିଣତ ହେଲେ ଏହାର ନାମ ରହିବ ମୋଚ୍ଚା ।
ତେବେ ବାତ୍ୟା କେଉଁ ଦିଗକୁ ଗତି କରିବ, କେଉଁ ରାଜ୍ୟକୁ ପ୍ରଭାବିତ କରିବ ଏବଂ ବାତ୍ୟାର ତୀବ୍ରତା କେତେ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଓଡିଶା ପାଇଁ ଏପର୍ଯ୍ୟନ୍ତ କୌଣସି ବାତ୍ୟା ସତର୍କ ସୂଚନା ଜାରି କରାଯାଇ ନ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ମେ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ କେବଳ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ମେ ମାସ ବାତ୍ୟାପ୍ରବଣ ମାସ ହୋଇଥିବାରୁ ସରକାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଆରସି ମଧ୍ୟ ସ୍ଥିତି ମୁକାବିଲା ପାଇଁ ଉପକୂଳ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here