ଝାରସୁଗୁଡା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି । ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯୋଗାଯୋଗ କ୍ଷେତ୍ରରେ ସୁବିଧା ବିକାଶର ଧାରାକୁ ତ୍ୱରାନ୍ୱିତ କରିଥାଏ । ଦୀର୍ଘ ଦିନ ଧରି ଝାରସୁଗୁଡା ବିମାନ ବନ୍ଦରର ବିକାଶ ହୋଇନଥିବାରୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ । ପରେ କହିଥିଲେ ଯେ, ଗୁଜୁରାଟର କଚ ଜିଲ୍ଲାରେ କେବଳ ୫ଟି ବିମାନବନ୍ଦର ରହିଛି । ମାତ୍ର ସ୍ୱାଧିନତା ପରେ ଓଡିଶାର ଏହା ଦ୍ୱିତୀୟ ବିମାନ ବନ୍ଦର ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଇ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଦିନିକିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ ସେ ତାଳଚେର ଗସ୍ତ କରିଥିଲେ । ତାଳଚେରରେ ପହଁଞ୍ଚି ଫର୍ଟିଲାଇଜର୍ସ ଲିମିଟେଡ ସାରଖାନାର ଶିଳାନ୍ୟାସ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ସମେତ ରାଜ୍ୟପାଳ ଗଣେଷି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ, ଢେଙ୍କାନାଳ-ଅନୁଗୋଳ ଏମପି ତଥାଗତ ସତପଥୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି । ୨୦୨୨ ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି । ପରେ ଅମଲିପାଲିଠାରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଶିଳାନ୍ୟାସ ଉସôବରେ ଆୟୋଜିତ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ କାରଖାନାରେ କାର୍ଯ୍ୟ ଶେଷ ହୋଇ ଉତ୍ପାଦନ ଆରମ୍ଭ ହେବ । ତାଳଚେର କାରଖାନାର ପୁନରୁଦ୍ଧାର ପାଇଁ ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ବନ୍ଦ ହୋଇଥିବା ଏହି ସାରକାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ସଙ୍କଳ୍ପ ନିଆଯାଇଛି ବୋଲି ମୋଦି କହିଛନ୍ତି ।
ବୈଷୟିକ କାରୀଗରି କୌଶଳର ବ୍ୟବହାର କରି କୋଇଲାରୁ ସାର ଉତ୍ପାଦନ ସହିତ ଏହି ପ୍ରକଳ୍ପ ଯୋଗୁଁ ସାଢେ ୪ହଜାର ଯୁବକ ନିଯୁକ୍ତି ସୁଯୋଗ ପାଇବେ । ଆସନ୍ତା ୩୬ ମାସ ମଧ୍ୟରେ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here