ବନ୍ଦ ହେବ ମୁକୁଳା ଡ୍ରେନ । ଏଥିପାଇଁ ଖର୍ଚ୍ଚ ହେବ ତିନିଶହ କୋଟି ଟଙ୍କା । ଗୃହ କମିଟି ବୈଠକରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବରମୁଣ୍ଡା ଅଞ୍ଚଳରେ ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଜ୍ୟୋତିପ୍ରକାଶ ଅକାଳରେ ପ୍ରାଣ ହରାଇବା ପରେ ସରକାରଙ୍କ ନିଦ ଭାଙ୍ଗିଛି । କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟରେ ଥିବା ଖୋଳା ଡ୍ରେନ ବନ୍ଦ କରାଯିବ ବୋଲି କୁହାଯାଇଛି । ମାତ୍ର ତିନିବର୍ଷ ତଳେ ନୂଆପଲ୍ଲୀ ଅଞ୍ଚଳରେ ଏମିତି ଜଣେ ଶିଶୁ ଡ୍ରେନ ପାଣିରେ ଭାସିଯାଇ ପ୍ରାଣ ହରାଇଥିଲେ । ସେତେବେଳେ ବି ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଶୋକାକୁଳ ପରିବେଶ ଭିତରେ ଶିଶୁର ଅନ୍ତିମ ସଂସ୍କାର ହୋଇଥିଲା । ଲୋକଙ୍କ ଭାବାବେଗକୁ ନଜରରେ ରଖି ନଗର ଉନ୍ନୟନ ମନ୍ତ୍ରୀ ଖୋଲା ଡ୍ରେନ ବନ୍ଦ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ତିନିବର୍ଷ ପରେ ପୁଣି ସେଇ ଦୁର୍ଘଟଣାର ପୁନରାବୃତ୍ତି । ଅର୍ଥାତ ସରକାରୀ ଘୋଷଣା ପାଣିର ଗାର ଥିଲା । ଯଦି ଗୋଟିଏ ପିଲାର ଅକାଳ ମୃତ୍ୟୁ ପରେ ସରକାର ଉତ୍ତରଦାୟିତ୍ବ ମୁଣ୍ଡାଇଥାନ୍ତେ ଏବଂ ସେତେବେଳେ କରିଥିବା ଘୋଷଣା ଅନୁଯାୟୀ ମୁକୁଳା ଡ୍ରେନ ବନ୍ଦ କରିଦେଇଥାନ୍ତେ, ତାହେଲେ ଆଜି ଜ୍ୟୋତିପ୍ରକାଶର ମୃତ୍ୟୁ ହୋଇ ନ ଥାନ୍ତା ।

LEAVE A REPLY

Please enter your comment!
Please enter your name here