ନିର୍ବାଚନ ହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ମଧ୍ୟରୁ ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । କଟକର ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶୀଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି । ଦୁଇ ପ୍ରାର୍ଥୀଙ୍କ ଚୟନ ତାଲିକାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି । ତେବେ ତୃତୀୟ ରାଜ୍ୟସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କୁ ଦଳ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ଦଳ କଟକ-ବାରବାଟୀ ବିଧାନସଭା ଆସନ ପାଇଁ ଆଉ କୌଣସି ନେତାଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଥିବା କୁହାଯାଉଛି । ତେଣୁ ଦେବାଶୀଷଙ୍କୁ ଦଳ ରାଜ୍ୟସଭାକୁ ପଠାଇ କଟକ-ବାରବାଟୀ ବିଧାନସଭା ଆସନ ପାଇଁ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଦଳୀୟ ଅନ୍ତର୍ଦ୍ବନ୍ଦ ଦୂର କରିବାରେ ସଫଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟଙ୍କୁ କଟକ ବାରବାଟୀ ଆସନରେ ପ୍ରାର୍ଥୀ କରିବା ଯୋଜନାରେ ଦେବାଶୀଷଙ୍କୁ ରାଜ୍ୟସଭାକୁ ପଠାଇବା ଯୋଜନା କରାଯାଇଛି । ସେହିପରି ବିଜେଡି ଯୁବ ରାଜ୍ୟ ଉପସଭାପତି ଶୁଭାଶୀଷ ଖୁଣ୍ଟିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହଯୋଗ କରିଥିବାରୁ ତାଙ୍କୁ ଦଳ ପୁରସ୍କୃତ କରିଥିବା କୁହାଯାଉଛି । ଫାଇଭ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସହ ତାଙ୍କର ନିବୀଡ ସଂପର୍କ ରହିଛି । ଦୁଇଠି ଆସନ ପାଇଁ ବିଜେଡି ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ତୃତୀୟ ଆସନର ପ୍ରାର୍ଥୀତ୍ବକୁ ନେଇ ସସପେନ୍ସ ଲାଗି ରହିଛି । ଆସନ୍ତା 15 ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ।

LEAVE A REPLY

Please enter your comment!
Please enter your name here