ମନର ମଣିଷ ଭାବି ଯାହା ହାତ ଧରିବାକୁ ନିଷ୍ପତି ନେଇଥିଲେ ମନୋରମା, ସେ ଥିଲେ ଜଣେ ଦିବ୍ୟାଙ୍ଗ । ପିଲାଦିନୁ ପୋଲିଓ ଆକ୍ରାନ୍ତ ହୋଇ ଦୁଇଗୋଡ ହରାଇଥିଲେ ମନୋରମାଙ୍କ ମନର ମଣିଷ । ଏମିତି ଯୁବକଙ୍କ ସହ ଝିଅର ବାହାଘର କରିବାକୁ ରାଜି ନଥିଲେ ପରିବାର ଲୋକେ । ମନୋରମା ଦେଖିବାକୁ ଖୁବ୍ ସୁନ୍ଦରୀ, ଉଚ୍ଚ ଶିକ୍ଷିତା ବି । ମାତ୍ର ପ୍ରେମ ଆଗରେ ହାର୍ ମାନିଲା ସାମାଜିକ ପ୍ରତିବନ୍ଧକ । ଘର ଲୋକଙ୍କ ଲାଂଛନା ସତ୍ୱେ ଦି ବର୍ଷ ତଳେ ଘର ଛାଡି ଚାଲି ଆସିଲେ ମନୋରମା । ଦିବ୍ୟାଙ୍ଗ ସ୍ୱାମୀଙ୍କ ସହ କେମିତି ଚାଲିଛି ମନୋରମାଙ୍କ ଜୀବନ, କେତେ ଖୁସି ଅଛନ୍ତି ମନୋରମା, ଭାଲେଂଟାଇନ ସପ୍ତାହରେ ଆମେ ଭେଟିଥିଲୁ ଏମିତି ଏକ ନିଆରା ଦଂପତିଙ୍କୁ । ..
ମନୋରମା ଓ ନୀଳମାଧବ । କୋଉ ସିନେମାର ପ୍ରେମ କାହାଣୀଠୁ କମ୍ ଚମତ୍କାରିତା ନାହିଁ ସେମାନଙ୍କ ଲଭ୍‌ଷ୍ଟୋରୀରେ । କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗାଁରେ ନୀଳମାଧବଙ୍କ ଘର । ଜନ୍ମରୁ ଦିବ୍ୟାଙ୍ଗ ନୀଳମାଧବ ପିଲାଦିନୁ ପୋଲିଓରେ ଆକ୍ରାନ୍ତ ହୋଇ ଦୁଇଗୋଡ ହରାଇଥିଲେ । ମାତ୍ର ଦୁଇଗୋଡ ନଥାଇ ବି ସେ କେବେ ହାରି ନ ଥିଲେ । ଜୀବନ ଜିଇଁବାର ସ୍ୱପ୍ନରେ ସେ ଥିଲେ ବିଭୋର । ସମସ୍ତଙ୍କ ଭଳି ପାଠ ପଢି ଭବିଷ୍ୟତ ଗଢିବାରେ ଲାଗିଥିଲେ ସେ । ୨୦୧୪ରେ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନରେ ପ୍ରଶିକ୍ଷଣ ତାଙ୍କ ଜୀବନକୁ ଦେଇଥିଲା ନୂଆମୋଡ । ପ୍ରଶିକ୍ଷଣ ସମୟରେ ତାଙ୍କର ସାକ୍ଷାତ ହେଲା ମନୋରମାଙ୍କ ସହ । ପ୍ରଥମ ସାକ୍ଷାତରୁ ହିଁ ମନୋରମାଙ୍କ ପ୍ରେମରେ ପଡିଯାଇଥିଲେ ନୀଳମାଧବ । ବନ୍ଧୁତାରୁ ଆରମ୍ଭ ହୋଇଥିଲା ସମ୍ପର୍କ । ସଂପର୍କ ଧୀରେ ଧୀରେ ପରିଣତ ହୋଇଥିଲା ଭଲ ପାଇବାରେ । ମାତ୍ର ନୀଳମାଧବଙ୍କ ମନରେ ଖୁବ୍ ଭୟ ଥିଲା । କାଳେ ଦିବ୍ୟାଙ୍ଗ ବୋଲି ତାଙ୍କ ପ୍ରେମକୁ ମନା କରିଦେବେ ମନୋରମା । ପୁଣି ଭାବୁଥିଲେ ସେ, ପ୍ରେମ ଆଗରେ ଡର କଣ । ଏମିତି ଭାବି ଭାବି ଦିନେ ସେ ମନୋରମାଙ୍କୁ ପ୍ରପୋଜ୍ କରିଥିଲେ ସେ । ନୀଳମାଧବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ମନୋରମା । ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ସାରା ଜୀବନ ସାଥୀ ହୋଇ ରହିବେ । ମାତ୍ର ଏମିତି ପ୍ରସ୍ତାବରେ ରାଜି ନ ଥିଲେ ମନୋରମାଙ୍କ ଘରଲୋକ । ଯାଜପୁରରେ ରହୁଥିବା ମନୋରମା ନିଜ ଘର ଛାଡି ସବୁଦିନ ପାଇଁ ନୀଳମାଧବଙ୍କ ପାଖକୁ ଚାଲି ଆସିଥିଲେ । ଏହା ଭିତରେ ବାହାଘରକୁ ପୁରି ଗଲାଣି ୩ ବର୍ଷ । ଆଜିବି ସତେଜ ଅଛି ଭଲ ପାଇବା । ଦିବ୍ୟାଙ୍ଗ ନୀଳମାଧବଙ୍କୁ ନେଇ ବେଶ୍ ଖୁସି ଅଛନ୍ତି ସେ । ସେମାନଙ୍କ ସଂସାରକୁ ଆହୁରି ହସଖୁସିରେ ଭରି ଦେଇଛି କୁନି ଝିଅ । ସେମାନଙ୍କର ପ୍ରେମ ଏମିତି ଅତୁଟ ରହୁ ସବୁଦିନ

LEAVE A REPLY

Please enter your comment!
Please enter your name here