ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇବା ପରେ ମନ୍ତ୍ରୀ ପ୍ରଦିପ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଦାନା ବାନ୍ଧିଛି । ମହାରଥୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଅନ୍ୟପକ୍ଷରେ ମହାରଥୀଙ୍କ ଘର ଉପରକୁ ମହିଳା କଂଗ୍ରେସ ନେତ୍ରୀମାନେ ଅଣ୍ଡା ଓ ପଚା ଟମାଟୋ ମାଡ କରିଛନ୍ତି ।
ପିପିଲି ଗଣଦୁଷ୍କର୍ମ ପୀଡିତା ବେବିନା ମାମଲାକୁ ରାଜନୀତିକ ମୋଡ ଦେଇଛନ୍ତି ଦୁଇ ବିରୋଧି କଂଗ୍ରେସ ଓ ବିଜେପି । ଏହି ମାମଲାର ରାୟରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ପରେ ବିରୋଧି ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ୨୪ ଘଣ୍ଟା ଭିତରେ ସରକାର ମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନନେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେପି । ଆଜିଠୁ ସପ୍ତାହେ ବ୍ୟାପୀ ସବୁ ସହରାଞ୍ଚଳରେ ମହମବତୀ ଶୋଭାଯାତ୍ରା କରିବ ବିଜେପି । ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିଛି ବୋଲି କହିବା ଅତ୍ୟନ୍ତ ଦୁଃଖଦାୟକ ଓ ସମ୍ବେଦନହୀନ ବୋଲି କହିଛି ବିଜେପି । ଏହି ଘଟଣାରେ କ୍ରାଇମବ୍ରାଂଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ସେହିପରି ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀ ପ୍ରଦିପ ମହାରଥୀଙ୍କ ଘର ଆଗରେ ଝାଡୁ ଧରି ପ୍ରତିବାଦ କରାଯାଇଥିଲା । ମହିଳା କଂଗ୍ରେସ ନେତ୍ରୀମାନେ ମନ୍ତ୍ରୀଙ୍କ ଘର ଭିତରକୁ ଜବରଦସ୍ତ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ବିକ୍ଷୋଭକାରି ମହିଳା ମାନେ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ ।

LEAVE A REPLY

Please enter your comment!
Please enter your name here