ଗତକାଲି ଦୁଇ ନାବାଳିକା ଝିଅ ଓ ମାଆର ମୃତଦେହ ମିଳିଥିଲା । ଟ୍ରିପଲ ମର୍ଡର ପଛରେ ବାପାଙ୍କୁ ସନ୍ଦେହ କରୁଥିଲେ ସମସ୍ତେ । ମାତ୍ର ଆଜି ଘର ପାଖ କୂଅ ଭିତରୁ ବାପାଙ୍କ ମୃତଦେହ ମିଳିବା ପରେ ରହସ୍ୟମୟ ହୋଇଯାଇଛି ହତ୍ୟାକାଣ୍ଡ । ପୋଲିସ ଛାନଭିନ୍ ଜାରି ରଖିଛି ।

ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଗଙ୍ଗାନଗର ଫାଟକ ପଦାସ୍ଥିତ ନାରାୟଣ ପୋଦାରଙ୍କ ଘରୁ । ଗତକାଲି ନାରାୟଣ ପୋଦ୍ଦାରଙ୍କ ସ୍ତ୍ରୀ ସୋନି, ପାଞ୍ଚବର୍ଷର ଝିଅ ମୁସ୍କାନ ଓ ତିନିବର୍ଷର ଝିଅ ରାଧିକାଙ୍କୁ କେହି ମାରି ଫିଙ୍ଗି ଦେଇଥିଲା । ଟ୍ରିପଲ ମର୍ଡର ସଂପର୍କରେ ଜଣାପଡିବା ପରେ ପୋଲିସ ଗୃହକର୍ତ୍ତାଙ୍କୁ ଖୋଜୁଥିଲା । ପୁରା ସନ୍ଦେହ ରହିଥିଲା ଘରର ମୂରବୀ ନାରାୟଣ ପୋଦ୍ଦାରଙ୍କ ଉପରେ । ହୁଏତ ଦୁଇଝିଅ ଓ ପତ୍ନୀଙ୍କୁ ହତ୍ୟା କରି ଘରର ମୂରବୀ ଫେରାର ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିଲା । ମାତ୍ର ଆଜି ଘର ପାଖ ଏକ କୂଅ ଭିତରୁ ସ୍ବାମୀଙ୍କ ମୃତଦେହ ମିଳିବା ପରେ ପୋଲିସ ଦ୍ବନ୍ଦ୍ବରେ ପଡିଯାଇଛି । ପୁରା ପରିବାରକୁ କିଏ ବିଧିବଦ୍ଧ ଷଡଯନ୍ତ୍ର କରି ହତ୍ୟା କରିଛି ବୋଲି ଆଶଙ୍କା କରାଯାଇଛି । ମୃତ ବ୍ୟକ୍ତିଙ୍କ ସାନଭାଇକୁ ଅଟକ ରଖି ପୋଲିସ ଜେରା କରୁଛି ।

ଅନ୍ୟପକ୍ଷରେ ଏହା ହତ୍ୟାକାଣ୍ଡ କି ଆତ୍ମହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ହୁଏତ ଖାଦ୍ୟରେ ବିଷ ମିଶିଥିବା ସନ୍ଦେହ କରାଯାଉଛି । ପୋଲିସ ଫରେନସିକ ଟିମ୍ ସହ ତଦନ୍ତ କରୁଛି । ତେବେ ପୂର୍ବରୁ ନାରାୟଣଙ୍କ ପତ୍ନୀ ଦିଅର ନାଁରେ ଅଭିଯୋଗ କରିବା ଏବଂ ଅଭିଯୋଗ ଆଧାରରେ ସେ ଜେଲ ଯାଇଥିବାରୁ ହତ୍ୟାକାଣ୍ଡ ପଛରେ ତାଙ୍କର ହାତ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here