ପୁରୀରେ ନକଲି ଅବଢା । ଏମିତି ଖବର ଆଜି ଶ୍ରୀଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ବାହାରେ ଲୋକନାଥ ରୋଡ ପାଇକ ସାହି ସାପୁଆ ମଠ ନିକଟରେ ଏକ ଅସ୍ଥାୟୀ ଟେଣ୍ଟରେ ଖାଦ୍ୟ ରନ୍ଧାଯାଇ କୁଡୁଆରେ ଭର୍ତ୍ତି କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ଅବଢା ଭଳି ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତି କରାଯାଇଥିଲା । ଭକ୍ତଙ୍କ ପାଇଁ ଏହି ଖାଦ୍ୟ ରନ୍ଧାଯାଇ କୁଡୁଆରେ ଅବଢା ଭଳି ପ୍ୟାକିଂ କରାଯାଇଥିଲା । ନକଲି ଅବଢା ବିଷୟରେ ସୁରାଗ୍ ପାଇ ଗଣମାଧ୍ୟମ ଟିମ୍ ପହଞ୍ଚିବା ବେଳକୁ ନକଲି ଅବଢା ପ୍ରସ୍ତୁତ କରୁଥିବା ରୋଷେଇୟା ଖସି ପଳାଇଥିଲେ । ଅବିକଳ ଅବଢା ଭଳି ରୋଷେଇ ପ୍ରସ୍ତୁତ କରି ତାହାକୁ କୁଡୁଆରେ ଭର୍ତ୍ତି କରି ଲୋକଙ୍କ ଭାବାବେଗ ସହ ଖେଳ ଖେଳାଯାଉଛି । ବିଶ୍ବାସ ସହ ବିଶ୍ବାସଘାତକତା କରୁଛନ୍ତି କିଛି ଅସାଧୁ ଲୋକ । ଏବେ ଠାକୁର ଅଣବସର ଘରେ ଥିବା ବେଳେ ଶ୍ରୀମନ୍ଦିରରେ ଅବଢା ବାହାରୁ ନାହିଁ । ମାତ୍ର ଅବଢା କହି ଲୋକଙ୍କୁ ଠକାଯାଉଥିବା ଭଳି ସାଂଘାତିକ ଘଟଣା ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ନକଳି ଅବଢା ରନ୍ଧା ଯିବା ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅଭିଯୋଗର ତଦନ୍ତ କରାଯାଉଛି, ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here