କୁନ୍ଦୁଲି ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ଜାଣିବା ପାଇଁ ସରକାରଙ୍କୁ ଢେର୍ ସମୟ ଲାଗିଗଲା. ଗୋଟିଏ ପରେ ଗୋଟିଏ ତଦନ୍ତ କମିଶନ ବସାଇଲେ ସରକାର. ମାତ୍ର ସରକାର ନ୍ୟାୟ ଦେବା ପୂର୍ବରୁ କୁନ୍ଦୁଲି ପୀଡିତା ଆଖି ବୁଜିଦେଲେ. ଏମିତି ଏକ ଛାତି ଥରାଇ ଦେବା ପରି ଘଟଣା ଘଟିଛି କଟକ ସହରରେ. ଅତ୍ୟନ୍ତ ଭୟଙ୍କର, ବିଭତ୍ସ ଓ ଜଘନ୍ୟ ଘଟଣା . ଚାନ୍ଦିନୀଚୌକ ଗାରଦ ବଜାରରେ ରହୁଥିବା ଜନୈକା 21 ବର୍ଷର ଝିଅ, ତାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛି. ସେପ୍ଟେମ୍ବର ମାସ 12 ତାରିଖରେ ଏହି ଘଟଣା ଘଟିଥିବା ବେଳେ ସଂପୃକ୍ତ ପୀଡିତା ନ୍ୟାୟ ପାଇବା ପାଇଁ ଡିସିପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି. ମାତ୍ର ଦୁର୍ଭାଗ୍ୟର ବିଷୟ ହେଉଛି, ପୀଡିତା ତାଙ୍କ ସହ ଘଟିଥିବା ଅମାନବିକ ଆଚରଣ ସଂପର୍କରେ ଅଭିଯୋଗ କରିବା ପରେ ବି କମିଶନରେଟ ପୋଲିସ ଦୁର୍ଘଟଣା କହି ଏଡାଇ ଦେବାକୁ ଚେଷ୍ଟା କରୁଛି.

ପୀଡିତା ଦେଇଥିବା ଏତଲା ଅନୁଯାୟୀ, ସେପ୍ଟେମ୍ବର 12 ତାରିଖରେ ସେ ତାଙ୍କ ପୂର୍ବ ପରିଚିତ ଦୀନେଶ ବେହେରା ନାମକ ଯୁବକଙ୍କ ସହ ରାତ୍ରିଭୋଜନ କରିବାକୁ ଯାଇଥିଲେ. ମାତ୍ର ଦୀନେଶଙ୍କର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସେ ଜାଣିପାରି ନ ଥିଲେ. ରାତ୍ରିଭୋଜନ ପରେ ଦିନେଶ ତାଙ୍କୁ ଥଣ୍ଡାପାନୀୟ ପିଇବାକୁ ଦେଇଥିଲା.  ଥଣ୍ଡାପାନୀୟ ପିଇବା ପରେ ସେ କିଛି ଜାଣିପାରି ନଥିଲେ. ଦିନେଶ ତାଙ୍କୁ ବାଇକରେ ବସାଇ ଅଜଣା ସ୍ଥାନକୁ ନେଇଥିଲା. ସେ ଦିନେଶକୁ କୁଆଡେ ନେଇ ଯାଉଛ ବୋଲି ପଚାରିଥିଲା. ଏହା ପରେ ତା ମୁଣ୍ଡକୁ ଶକ୍ତ ଆଘାତ ଦିଆଗଲା. ସେ ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ବେଳେ ତାକୁ ଗଣଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି. ତା ପରେ ଶକ୍ତ ଭାବେ କେହି ଆଘାତ ଦେବା ପରେ ସେ ସଂପୂର୍ଣ୍ଣ ବେହୋସ ହୋଇଯାଇଥିଲେ. ଚାରି ପାଞ୍ଚ ଦିନ ପରେ ଚେତା ଫେରି ପାଇବା ବେଳକୁ ସେ ଡାକ୍ତରଖାନାରେ ଥିଲା. ତାର ଗୋଟିଏ ଗୋଡ ପୁରା ଭାଙ୍ଗି ଯାଇଛି. ତାର ଯୌନାଙ୍ଗରେ ଗଭିର କ୍ଷତ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି. ତାଙ୍କ କାନ୍ଧରେ କାମୁଡା ଜନିତ କ୍ଷତର ଦାଗ ଏବେ ବି ରହିଛି.  ତେବେ ପୀଡିତାଙ୍କ ଅଭିଯୋଗ ପରେ ବି କମିଶନରେଟ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହୁଛି. ଷଣ୍ଢ ଆକ୍ରମଣରେ ଏଭଳି ହୋଇଛି ଏବଂ ପରେ ତା ଗୋଡ ଉପରେ ଏକ ବୋଲେରୋ ଚଢିଯାଇଥିଲା ବୋଲି କହିବାକୁ ପୋଲିସ ଚାପ ପକାଉଥିବା ପୀଡିତା ଅଭିଯୋଗ କରିଛନ୍ତି.

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତରେ ଘଟଣା ପାଇଁ ଷଣ୍ଢ ଓ ବୋଲେରୋ ଗାଡିକୁ ଦାୟୀ କରାଯାଇଛି, ଯେଉଁଥିରେ ଆଦୌ ସତ୍ୟତା ନାହିଁ ବୋଲି ପୀଡିତା କହିଛନ୍ତି. ଅନ୍ୟପକ୍ଷରେ ସତ୍ୟକୁ ଲୁଚାଇବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା ସେ ଏତଲାରେ ଜଣାଇଛନ୍ତି. ରେଭେନ୍ସାରୁ କମର୍ସରେ ଗ୍ରାଜୁଏଟ ପାସ କରିଥିବା ଧୀବର ସଂପ୍ରଦାୟର ଏହି ପୀଡିତା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି.

LEAVE A REPLY

Please enter your comment!
Please enter your name here