ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ । ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାଁ ଘୋଷଣା କରିଛି । ଆସନ୍ତାକାଲି ପ୍ରମିଳା ବିଧାନସଭାରେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ଅନ୍ୟ କୌଣସି ଦଳ ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ନଥିବାରୁ ଶ୍ରୀମତୀ ମଲ୍ଲିକ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି । 1990 ରେ ପ୍ରମିଳା ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ 2000 ମସିହାରୁ ଲଗାତର ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ଆଉ ଛ ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇ ମହିଳା କାର୍ଡ ଖେଳିଥିବା କୁହାଯାଉଛି ।
ବାଚସ୍ପତି ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ କୃତଜ୍ଞା । ସେ ଯଦି ବାଚସ୍ପତି ନିର୍ବାଚିତ ହୁଅନ୍ତି, ତେବେ ନିରପେକ୍ଷ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ବାଚସ୍ପତି ହେବା ପରେ ରାଜନୈତିକ କ୍ୟାରିଅର ନଷ୍ଟ ହୋଇଯାଏ ବୋଲି ଯେଉଁ ଧାରଣା ରହିଛି, ସେ ସଂପର୍କରେ କଣ କହିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ କ୍ୟାରିଅର ଆଗକୁ ବଢିବ, ସେ ଚାହିଁଲେ ତାଙ୍କ କ୍ୟାରିଅର ନଷ୍ଟ ହେବ ।
ଗତ ଜୁନ ମାସରୁ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ପଦବୀ ଖାଲି ପଡିଥିଲା ।

LEAVE A REPLY

Please enter your comment!
Please enter your name here