ମାଡି ଆସୁଛି ଫନି । ଘଣ୍ଟାକୁ ୧୪ କିଲୋମିଟର ବେଗରେ ଓଡିଶା ଆଡକୁ ମାଡି ଆସୁଛି । ଫନି ପ୍ରଭାବରେ ୨ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୩ ତାରିଖବେଳକୁ ପବନର ବେଗ ବଢିବା ଆରମ୍ଭ କରିବ । ଘଣ୍ଟାକୁ ୧୭୫ରୁ ୧୯୫ କିମି ବେଗରେ ପବନ ବହିବ ଏବଂ ଫନି ସ୍ଥଳଭାଗ ଛୁଇଁବାବେଳକୁ ପବନ ବେଗ ୨୦୦ କିଲୋମିଟର ଟପିବ ବୋଲି ଆଶଙ୍କା କରାଯାଉଛି । ଏହାଭିତରେ ଫନି ସମୁଦ୍ର ଭିତରେ ଅତି ଭୟଙ୍କର ରୂପ ଧାରଣ କରିସାରିଥିବା ଜଣାପଡିଛି । ଆସନ୍ତା ୩ ତାରିଖ ସଂଧ୍ୟା ସୁଦ୍ଧା ଓଡିଶା ଉପକୂଳ ଛୁଇଁବ ଫନି । ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଅନୁଯାୟୀ ପୁରୀ ସାତପଡା ଓ ବାଲୁଖଣ୍ଡ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ମାତ୍ରେ ତାଣ୍ଡବ ରଚିବ ଫନି । ଦେଢ ମିଟର ଉଚ୍ଚରେ ସମୁଦ୍ର ଜୁଆର ମାଡି ଆସିବ । ଫନିର ସମ୍ଭାବ୍ୟ ବିଭୀଷିକା ନେଇ ଆତଙ୍କିତ ହୋଇପଡିଛନ୍ତି ସମୁଦ୍ରକୁଳିଆ ଲୋକେ । ପୁରୀ, ବ୍ରହ୍ମଗିରି, ଅସ୍ତରଙ୍ଗ,ସାତପଡା ପ୍ରଭୃତି ଅଞ୍ଚଳରେ ଲୋକେ ଭୟଭିତ ହୋଇପଡିଛନ୍ତି । କେମିତି ଫନିକୁ ମୁକାବିଲା କରିବେ, ସେନେଇ ଚିନ୍ତାରେ ଅଛନ୍ତି ଲୋକେ ।  ଉପକୂଳବର୍ତ୍ତି ୧୨ଟି ଜିଲ୍ଲା ପାଇଁ ୧୨ଜଣ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ୧୧ ଜଣ ଆଇପିଏସ ଅଫିସରଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ସରକାର । ତଳିଆ ଅଂଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସେମାନଙ୍କୁ ରନ୍ଧାଖାଦ୍ୟ ଦେବାକୁ ବ୍ୟବସ୍ଥା କରାଯାଇଛି ।  ୩୩୪ଟି ଅଗ୍ନିଶମ ୟୁନିଟକୁ ଉଦ୍ଧାରକାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି । ଫନି ମୁକାବିଲା ପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ୭୪ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ପୁରୀ ସହରରୁ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ୫ ତାରିଖ ଯାଏ ପୁରୀରେ ହୋଟେଲ ବୁକିଂ ଉପରେ ନିଷେଧାଦେଶ ଜାରି କରାଯାଇଛି । ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯିବା ସହ ପରୀକ୍ଷା ବାତିଲ କରାଯାଇଛି । ଜିରୋକାଜୁଆଲିଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here