ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ତେବେ ସାମୂଦ୍ରିକ ଝଡ ଅବସ୍ଥାରେ ଥିବା ଜୱାଦ ଆସନ୍ତାକାଲି ଆହୁରି ଦୁର୍ବଳ ହେବ । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବାବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଜୱାଦ ଧିରେ ଧିରେ ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ତେବେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରୀ ଦୁର୍ବଳ ହୋଇ ଉତ୍ତର ଦିଗରେ ଗତି କରିବ । ଏହାପରେ ପୁଣି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ଗଭୀର ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ । ଏହାପରେ ଆହୁରି ଦୂର୍ବଳ ହୋଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହେବ । ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବ ନାହିଁ । ବର୍ତ୍ତମାନ ସୁଦ୍ଧା ପାରାଦୀପ ରେ ସର୍ବାଧିକ ୮୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଆଜି ଗଞ୍ଜାମ, ଜଗତସିଂହପୁର, ପୁରୀରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଆନ୍ଧ୍ରପ୍ରଦେଶ ବିଶାଖାପଟଣା ଠାରୁ ଦକ୍ଷିଣ ପୂର୍ବକୁ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଜୱାଦ । ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୪୦ କିଲୋମିଟର ଏବଂ ପୁରୀ ଠାରୁ ଏହା ୪୧୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏବଂ ପାରାଦୀପ ଠାରୁ ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ।

LEAVE A REPLY

Please enter your comment!
Please enter your name here