ଓଡିଶାର ବିକାଶ ସମଗ୍ର ଦେଶ ପାଇଁ ମଡେଲ୍ । ସରକାରୀ ବିଜ୍ଞାପନରେ ଏମିତି ପ୍ରଚାରର ସ୍ଲୋଗାନ । ଅଥଚ ସରକାରୀ ପରିସଂଖ୍ୟାନରେ ବିକାଶ ଯେତେ ଅଧିକ ହେଲେ ବି ଦାଦନ ପେଟରେ ଜଳୁଥିବା ଭୋକର ନିଆଁକୁ ଲିଭାଇ ପାରୁନି । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ପରିବାର ଗାଁରେ ରହି ପରିବାର ଚଳାଇ ପାରିଲାନି ବୋଲି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ପଳେଇଥିଲା । ତୁରେଇକେଲା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ ସମାରୁ ନାୟକ, କାହ୍ନୁ, ତା ସ୍ତ୍ରୀ ଲକ୍ଷ୍ମିପ୍ରୀୟା ଓ ଦୁଇ ଝିଅକୁ ନେଇ ଆନ୍ଧ୍ରପ୍ରଦେଶର ସାତନଗର ଅଞ୍ଚଳରେ ଥିବା ଇଟାଭାଟି ମାଲିକ ଶଙ୍କର ନାୟକ ପାଖରେ ଛାଡି ଚାଲି ଆସିଥିଲା । ମାତ୍ର ରୋଜଗାର ଲୋଭରେ ଗାଁ ଛାଡିଥିବା କାହ୍ନୁ ମଲ୍ଲିକ ପରିବାର ଉପରେ ଇଟାଭାଟି ମାଲିକ ଆରମ୍ଭ କରିଦେଇଥିଲା ନିର୍ଯାତନା । ଦିନରାତି କାମ କରାଇବା ସହ ମାଡ ମାରିବା ଆରମ୍ଭ କରିଦେଲା । ଏମିତିକି ଘରକୁ ଆସିବାକୁ ବି ଛାଡିଲାନି । କାମ କରି କରି ଏବଂ ମାଡ ଖାଇ କାହ୍ନୁ ମଲ୍ଲିକ ରୋଗାକ୍ରାନ୍ତ ହୋଇପଡିଲା । ଇଟାଭାଟି ମାଲିକ ପାଖରେ ନେହୁରା ହେଲା କାହ୍ନୁର ପତ୍ନୀ । ଗାଁକୁ ଫେରି ସେ ତା ସ୍ବାମୀର ଚିକିତ୍ସା କରାଇବ । ମାତ୍ର କାହ୍ନୁ ମଲ୍ଲିକ, ତା ସ୍ତ୍ରୀ ଏବଂ ଦିବ୍ୟାଙ୍ଗ ଝିଅକୁ ଛାଡି ଦେଇଥିଲେ ମଧ୍ୟ ଏଗାର ବର୍ଷର ଝିଅକୁ ବନ୍ଧକ ରଖିଥିଲା ଇଟାଭାଟି ମାଲିକ । ଏଗାର ବର୍ଷର ଝିଅକୁ ଛାଡି ଗାଁକୁ ଫେରିବା ପରେ ସ୍ବାମୀର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିଥିଲା କାହ୍ନୁର ସ୍ତ୍ରୀ ଲକ୍ଷ୍ମିପ୍ରୀୟା । ଝିଅକୁ ମୁକୁଳାଇବା ପାଇଁ ବି ଜମିବାଡି ବିକି ପଚାଶ ହଜାର ଟଙ୍କା ଯୋଗାଡ କରିଥିଲା । ତଥାପି ସରି ନ ଥିଲା ଦାଦନ କାହ୍ନୁ ମଲ୍ଲିକର ଦୁଃଖ । ଇଟାଭାଟି ମାଲିକ ପଚାଶ ହଜାର ଟଙ୍କା ନେବା ପରେ ବି ତା ଝିଅକୁ ଛାଡି ନ ଥିଲା । ଏଥିରେ ଦୁଃଖରେ ଭାଙ୍ଗି ପଡିଥିଲା କାହ୍ନୁ । ରୋଗାକ୍ରାନ୍ତ କାହ୍ନୁ ମଲ୍ଲିକ ଝିଅକୁ ଝୁରି ଝୁରି ଆଖି ବୁଜି ଦେଲା । ଏବେ ଅସହାୟ ଲକ୍ଷ୍ମିପ୍ରୀୟା ଝିଅକୁ ମୁକୁଳାଇବାକୁ ଗୁହାରି କରୁଛି । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ତା ଗୁହାରୀ ଶୁଣିବେ, ଝିଅ ଆନ୍ଧ୍ରର ଇଟାଭାଟି ମାଲକ ପାଖରୁ ଫେରିବ, ଏହି ଆଶା ଧରି ଅପେକ୍ଷା କରିଛି ଲକ୍ଷ୍ମୀପ୍ରିୟା ।

LEAVE A REPLY

Please enter your comment!
Please enter your name here