2024 ବିଧାନସଭା ନିର୍ବାଚନରେ କିଏ ବାଣ୍ଟିବ ବିଜେଡି ଟିକଟ ? ଆଜି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏମିତି ଏକ କଟାକ୍ଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡିର 21 ଲୋକସଭା ଓ 147 ବିଧାନସଭା ଟିକଟ ଏବେ 5T ସଚିବ ପାଣ୍ଡିୟାନଙ୍କ ହାତରେ ବୋଲି ସେ ସିଧାସଳଖ କହିଛନ୍ତି । ଯେଉଁଥିପାଇଁ ବିଜେଡିରେ ଏବେ ଭୟଙ୍କର ଡର ଓ ଅସନ୍ତୋଷ ରହିଛି । ଦଳର ବଡ ବଡ ନେତା ବି ଚୁପ୍ ହୋଇ ବସିଛନ୍ତି । ପାଣ୍ଡିୟାନ୍ କୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ସାଦା ଟିକଟରେ ଦସ୍ତଖତ କରି ପାଖରେ ରଖିଛନ୍ତି । ତେଣୁ ପାଣ୍ଡିୟାନ ଯାହାକୁ କହିବେ, ସିଏ ଟିକଟ ପାଇବ । ଟିକଟ ପାଇବାର ଆଶା ଓ ହରାଇବାର ଭୟରେ ବିଜେଡି ନେତାଙ୍କ ଭିତରେ ନିରବତା ଛାଇ ହୋଇଯାଇଛି । ତେବେ ଏ ନିରବତା ଦଳ ଭିତରେ ଭୟଙ୍କର ବିଦ୍ରୋହର ସୂତ୍ରପାତ କରିବ ବୋଲି ସେ କହିଛନ୍ତି । ପୁରୋହିତ କହିଛନ୍ତି, ପାଣ୍ଡିଆନଙ୍କ ହାତରେ ଏବେ ବିଜେଡି ଚାବିକାଠି । ସେ ଯାହା କହୁଛନ୍ତି, ନବୀନ ତାହା କରିବାକୁ ବାଧ୍ୟ ହୋଉଛନ୍ତି । ଦିନେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡା ହେଉଥିବା ସରକାରୀ ଅଧିକାରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ଆଗରେ । ଯାହା ଦଳର ବିଧାୟକ, ସାଂସଦ, ମନ୍ତ୍ରୀ କରିବା କଥା, ଏବେ ସେସବୁ କାମ ସଚିବ କରୁଛନ୍ତି । ଛାତ୍ର, ଯୁବକ, ମହିଳା କର୍ମୀଙ୍କୁ ଉଦବୋଧନ ଦେଉଛନ୍ତି । କୋଉଠି କର୍ମୀ ସମ୍ମିଳନୀ କରୁଛନ୍ତି ତ ଆଉ କୋଉଠି ସମୀକ୍ଷା କରୁଛନ୍ତି । ଦଳର ନେତା, ମନ୍ତ୍ରୀ, ବିଧାୟକମାନେ ସଚିବଙ୍କ ପାଇଁ ସବୁ ପ୍ରସ୍ତୁତି କରୁଛନ୍ତି । ସଚିବଙ୍କ ସଭାରେ କେମିତି ଲୋକ ଆସିବେ ସେ କାମରେ ଲାଗିଛନ୍ତି । ତେବେ ସଚିବଙ୍କ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ନେତାମାନେ ମୁହଁ ନ ଖୋଲିବା ପଛରେ ଆସନ୍ତା ନିର୍ବାଚନର ଟିକଟ ଆଶା ରହିଛି । ବିଜେପି ନେତା ପୁରୋହିତଙ୍କ ଏ କଟାକ୍ଷ ରାଜନୀତିକୁ ବେଶ୍ ସରଗରମ କରିଛି ।

LEAVE A REPLY

Please enter your comment!
Please enter your name here