ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ ଇନ୍ ଓଡିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ବିଜନେସ୍‌ ଲିଡରସିପ ସମିଟ୍ । ଏହି ଅଧିବେଶନରେ ରିଲାଏନ୍ସ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ମେକ ଇନ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରପୁର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ୨ବର୍ଷରେ ୨ ବିଲିୟନ ଡଲାର ନିବେଶ ପାଇଁ ଘୋଷଣା କରିଛନ୍ତି । ଏହି ଅବସରରେ ଓଡିଶାର ଐତିହ୍ୟ ସଂସ୍କୃତିକୁ ପ୍ରଶଂସା କରିଛନ୍ତି କୁମାର ମଙ୍ଗଳମ ।

ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେଇଥିଲେ । ତେବେ ମେକ ଇନ ଓଡିଶା କନକ୍ଲେଭରେ ପୁଞ୍ଜିନିବେଶ କରିବାକୁ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଓଡିଶାରେ ଅଧିକ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ । ତେବେ ପୂର୍ବରୁ ୬ ହଜାର କୋଟି ଟଙ୍କା ନିବେଶ କରିଛି ବୋଲି ମୁକେଶ ଅମ୍ବାନୀ ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।
ସେହିପରି ଓଡିଶାରେ ନିଜ ଇସ୍ପାତ କାରଖାନା ଉତ୍ପାଦନ ବଢାଇବ ଜେଏସପିଏଲ । ବିଜିନେସ ଲିଡରସିପ ସମିଟରେ ନବୀନ ଜିନ୍ଦଲ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଅନୁଗୁଳରେ ଆମେ ୪୫ ହଜାର କୋଟି ନିବେଶ କରିଛୁ, ଅନୁଗୁଳ ପ୍ଲାଣ୍ଟରୁ ବାର୍ଷିକ ୬ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହେଉଛି । ୨୦୩୦ ସୁଦ୍ଧା ୨୦ ମିଲିୟନ ଟନ୍ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି । ଜନତା ମଇଦାନରେ ଆୟୋଜିତ ଏହି ୫ ଦିନିଆ କନକ୍ଲେଭରେ ବିଶେଷ କରି ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଜିଂନିବେଶ ହେବାର ଆଶା କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜନେସ୍ ଲିଡରସିପ ସମିଟ୍, ଷ୍ଟାର୍ଟଅପ ଟକ, ଟେକ୍ ଟକ, ସିଏସ୍ଆର ଆୱାର୍ଡ ଆଦି ଅନୁଷ୍ଟିତ ହେବ ।

LEAVE A REPLY

Please enter your comment!
Please enter your name here