ଇସ୍ରାଏଲ- ପାଲେଷ୍ଟାଇନ ହମାସ ଯୁଦ୍ଧରେ ଦୁଇଦିନରେ ଏକ ହଜାରରୁ ଅଧିକ ସାଧାରଣ ଲୋକ ଓ ଯବାନଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରେ 600 ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ହମାସରେ 400 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଆହତଙ୍କ ସଂଖ୍ୟା ବହୁତ ଅଧିକ ଥିବା ସୂଚନା ମିଳିଛି । ଇସ୍ରାଏଲରେ ହଜାରେରୁ ଅଧିକ ଆହତ ହୋଇଥିବା ବେଳେ ଗାଜାରେ ଦେଢ ହଜାରରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯାଇଛି । ହମାସ ଆତଙ୍କବାଦୀ ଶହେରୁ ଅଧିକ ଇସ୍ରାଏଲ ଯବାନ ଓ ନାଗରିକଙ୍କୁ ଅପହରଣ କରିନେଇଥିବା ଇସ୍ରାଏଲ କହିଛି । ଇସ୍ରାଏଲ ଭିତରକୁ ପଶି ଆସିଥିବା ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଗଣହତ୍ୟା କରୁଥିବା ବେଳେ ସେମାନଙ୍କୁ ଇସ୍ରାଏଲ ଯବାନମାନେ ମୁକାବିଲା କରୁଛନ୍ତି । ଗାଜା ନିକଟସ୍ଥ ଇସ୍ରାଏଲ ସହର ସେଡରଟରେ ସବୁଠୁ ଅଧିକ ନରସଂହାର ହୋଇଛି । ରାସ୍ତା ଉପରେ, ଘର ଭିତରେ, କାର୍ ଭିତରେ ଇସ୍ରାଏଲ ନାଗରିକଙ୍କ ଶବ ପଡିଥିବା ଚିତ୍ର ହମାସ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଯୁଦ୍ଧ ଆରବ ଓ ଇସଲାମିକ ଦେଶ ମଧ୍ୟରେ ବୋଲି ହମାସ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଏହି ଯୁଦ୍ଧକୁ ‘ଅପରେସନ ସୋର୍ଡ୍ସ ଅଫ ଆଇରନ’ ବୋଲି ଘୋଷଣା କରିଛି । ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଆଜି ଜରୁରୀକାଳିନ ବୈଠକ ବସିଥିବା ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here