ଆଜି ଏପ୍ରିଲ 13, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଲୋୟର ପିଏମଜି ଛକରେ ପାଳନ କରାଯାଇଥାଏ । ପ୍ରଥମରୁ ଏହାକୁ କମିଟି ପାଳନ କରିଆସୁଥିଲା ବେଳେ ଏବେ କିଛି ବର୍ଷ ହୋଇଗଲାଣି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ କମିଟି ମିଳିତ ଭାବେ ଖୁବ୍ ଜାକଜମକରେ ପାଳନ କରି ଆସୁଛନ୍ତି । କିନ୍ତୁ ବ୍ୟତିକ୍ରମ ହେଉଛି, ଭୁବନେଶ୍ବର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରା ନ ଯିବା । ଗତବର୍ଷ ବି ସାଂସଦଙ୍କୁ ଡକାଯାଇ ନ ଥିଲା । ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମେୟର ସୁଲୋଚନା ଦାସଙ୍କୁ ପ୍ରତିଷ୍ଠା ଦିବସ ସମାରୋହକୁ ନିମନ୍ତ୍ରଣ କରାଯାଇଛି । ଏପରିକି ଜଟଣୀ ବିଧାୟକ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ସାଂସଦ ଅପରାଜିତାଙ୍କୁ ପ୍ରତିଷ୍ଠା ଦିବସ କମିଟି ଏକଘରକିଆ କରିଦେଇଛି । ନିମନ୍ତ୍ରିତ ସମସ୍ତ ବିଧାୟକ ଓ ମେୟର ବିଜୁ ଜନତା ଦଳର ହୋଇଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ବିଜେପିରୁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ପ୍ରତିଷ୍ଠା ଦିବସ ସମାରୋହକୁ ନିମନ୍ତ୍ରିତ କରା ନଯିବା କେତେଦୂର ଯଥାର୍ଥ ? ଅପରାଜିତାଙ୍କ ପ୍ରତି ଏତେ ଅସୂୟା ମନୋଭାବ କଣ ପାଇଁ ?
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିରେ ପ୍ରମୁଖ ପଦପଦବୀରେ ତିନିଜଣ ପୁରୁଖା ସାମ୍ବାଦିକ ରହିଛନ୍ତି । ଯେଉଁମାନେ ଦଳଗତ ରାଜନୀତି ତଥା ସଂକୀର୍ଣ୍ଣ ରାଜନୀତିରୁ ଉର୍ଦ୍ଦ୍ବରେ ରହି କାର୍ଯ୍ୟ କରିବା ଉଚିତ । ମାତ୍ର ସରକାରୀ ଦଳ, ସରକାରୀ ବିଭାଗର ଚାପ ଆଗରେ ସେମାନେ ବି ମୁଣ୍ଡ ନୁଆଁଇଦେଲା ଭଳି ମନେ ହେଉଛି ।
ଭୁବନେଶ୍ବର ଏକ ଐତିହ୍ୟ ସଂପନ୍ନ ସହର । ରାଜନୀତିରୁ ଉର୍ଦ୍ଦରେ ରହି ଏହାର ପ୍ରତିଷ୍ଠା ଦିବସ ପାଳନ କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here