ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛକା ମାରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତିକ ଚାଲ୍ ଆଗରେ ବିରୋଧୀ ଫିକା ପଡିଯାଇଛନ୍ତି. ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଉଚ୍ଚଶିକ୍ଷା ଓ ନିଯୁକ୍ତିରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ସମ୍ବିଧାନ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି. ବିଲ୍ ଗୃହୀତ ପାଇଁ ଏନଡିଏ ପାଖରେ ସଂଖ୍ୟାଗରିଷ୍ଠ ସାଂସଦ ନଥିଲେ ମଧ୍ୟ ବିରୋଧୀଙ୍କ ସମର୍ଥନରେ ବିଲ୍ ଗୃହୀତ ହୋଇଛି. ସଂରକ୍ଷଣ ବିଲକୁ ସମର୍ଥନ ନକଲେ ନିର୍ବାଚନରେ ବିରୋଧୀ ଅଡୁଆରେ ପଡିଥାନ୍ତେ, ଏଭଳି ଆଶା ଆଶଙ୍କା ମଧ୍ୟରେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ବିଲ୍ ସପକ୍ଷରେ ସମର୍ଥନ ଦେଇଥିଲେ. ଏହି ବିଲ୍ ଲୋକସଭାରେ ମଙ୍ଗଳବାର ପାରିତ ହେବା ପରେ ରାଜ୍ୟସଭା ଉପସ୍ଥାପନ କରାଯାଇଥିଲା. ମାତ୍ର ରାଜ୍ୟସଭାରେ ଏନଡିଏ ସାଂସଦଙ୍କ ସଂଖ୍ୟା କମ୍ ଥିବାରୁ ଏହି ବିଲ୍ କିପରି ପାସ୍ ହେବ ତା ଉପରେ ସମସ୍ତଙ୍କ ନଜର ରହିଥିଲା. ମାତ୍ର ବିରୋଧୀଙ୍କ ସମର୍ଥନ ପାଇ ଏହି ବିଲ୍ ଗୃହୀତ ହୋଇଛି. ସାମାଜିକ ଓ ନ୍ୟାୟ ସଶକ୍ତିକରଣ ମନ୍ତ୍ରୀ ଥୱରଚାନ୍ଦ ଗେହଲଟ ଏହି ସଂଶୋଧିତ ବିଲ ଗୃହରେ ଉପସ୍ଥାପିତ କରିଥିଲେ. ପରେ ଏହାକୁ ନେଇ ପ୍ରାୟ 8 ଘଣ୍ଟା ଧରି ଯୁକ୍ତିତର୍କ ଲାଗି ରହିଥିଲା. ପ୍ରଥମ ପର୍ଯ୍ୟାୟରେ ଏହି ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇ ଦେବାକୁ ଦାବି ହୋଇଥିଲା. ମାତ୍ର ପରବର୍ତ୍ତୀ ସମୟରେ ଭୋଟିଂ ଦ୍ୱାରା ଏହା ଖାରଜ ହୋଇଯାଇଥିଲା. ପରେ ଗୃହରେ ଉପସ୍ଥିତ ଥିବା 172 ଜଣ ସାଂସଦଙ୍କ ମଧ୍ୟରୁ  165 ଜଣ ସାଂସଦ ଏହାକୁ ସମର୍ଥନ କରିଥିଲେ ଓ ବାକି 7 ଜଣ ଏହାକୁ ବିରୋଧ କରିଥିଲେ. ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏହା ଖୁବଶୀଘ୍ର ଆଇନରେ ପରିଣତ ହେବ.

LEAVE A REPLY

Please enter your comment!
Please enter your name here