ସ୍ଥାନ – ଶ୍ରୀମନ୍ଦିର । କୋଟିବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଆବାସସ୍ଥଳ । କାହିଁ କେତେଦୂରୁ ଭକ୍ତଟିଏ ଧାଇଁ ଆସେ ଚକାଆଖିକୁ ଦେଖିବା ପାଇଁ । କାଳିଆ ଠାକୁରକୁ ଦୁଃଖ ଜଣାଇବା ପାଇଁ । କାହା ଦୁଃଖ କେତେ ଲାଘବ ହୁଏ, ତାହା ଭକ୍ତ ଜାଣେ, କାଳିଆ ଜାଣେ । ମାତ୍ର ହାଇଦ୍ରାବାଦରୁ ପରିବାର ସହ ଆସିଥିବା ଟିକି ଝିଅଟିର ଭୁଲ୍ କଣ ଥିଲା ? ଶ୍ରୀମନ୍ଦିରକୁ ଆସି କାଳିଆ ଠାକୁରକୁ ଦେଖିବା ପରେ ଶ୍ରୀମନ୍ଦିର ବେଢାରେ ଥିବା ବାମନ ମନ୍ଦିରରେ ଟିକି ଝିଅଟି ପ୍ରତି ଅସଦାଚରଣ କରିଥିଲା ଜଣେ ପୂଜକ । ସିଂହଦ୍ବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସକୁ ଗିରଫ କରିଛି । ଗତକାଲି ଅପରାହ୍ନରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

ଗତକାଲି ଏହି ଘଟଣା ଘଟିଥିଲେ ହେଁ ଆଜି ଜଣାପଡିଥିଲା । ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ କରାଯିବା ପରେ ବୟାନ ରେକର୍ଡ କରାଯାଇଥିଲା । ନାବାଳିକା ପରିବାର ସହ ଚାଲି ଯାଇଥିବା ବେଳେ ପୂଜକ ସଂଗ୍ରାମ ଦାସକୁ ଗିରଫ କରାଯାଇଛି । କିନ୍ତୁ ଏହି ପୂଜକଙ୍କ ପାପାଚାର ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ଲଗାଇଛି ।

ଶ୍ରୀମନ୍ଦିରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଏହାକୁ ସେବାୟତମହଲ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here