ବ୍ରହ୍ମଗିରି ଚିତ୍ତରଂଜନ ମୃତ୍ୟୁ ମାମଲାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୃତ ଚିତ୍ତରଂଜନଙ୍କ ପରିବାର ସିଧାସଳଖ ସଞ୍ଜୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଚିତ୍ତଙ୍କ ବଡବାପା ଥାନାରେ ଦେଇଥିବା ଏତଲାରେ ମଧ୍ୟ ସଞ୍ଜୟ ଦାସବର୍ମାଙ୍କ ନାଁ ରହିଛି । ତେଣୁ ବିଜେଡିର ସାଧାରଣ ସଂପାଦକ ଥିବା ସଞ୍ଜୟଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ମାମଲାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିବା ସହ ଆଜି ଚିତ୍ତର ସାଙ୍ଗ ଜଗା ଓରଫ ଜଗନ୍ନାଥ ଷଡଙ୍ଗୀର ମାଟିଆପଡାସ୍ଥିତ ଘରେ ଛାନଭିନ୍ କରିଛି । ଜଗାର ପଡୋଶୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚର ଚାରିଜଣିଆ ଟିମ୍ ଜେରା କରିଛନ୍ତି । ଜଗା ଚିତ୍ତରଂଜନ ଠାରୁ ତିନିଲକ୍ଷ ଟଙ୍କା ଉଧାର ନେଇଥିଲା ଏବଂ ଟଙ୍କା ଫେରାଇବା ପାଇଁ ଚିତ୍ତ ତା ସାଙ୍ଗ ଜଗାକୁ ବାରମ୍ବାର କହୁଥିଲା । ତେଣୁ ଚିତ୍ତର ମୃତ୍ୟୁ ପଛରେ ଜଗା ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଚିତ୍ତରଂଜନଙ୍କ ପତ୍ନୀ ସୁଭଦ୍ରା କହିଛନ୍ତି, ଜଗା କେବେହେଲେ ଏକା ଏ କାମ କରିପାରିବନି । ତା ସହିତ ଆଉ କିଏ କିଏ ଥିଲେ, ତଦନ୍ତକାରୀ ଅଧିକାରୀମାନେ ବାହାର କରିବା ଦରକାର । ଘଟଣାକୁ ନେଇ ରାଜନୀତି କରା ନ ଯାଉ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତାଙ୍କର ଭରଷା ରହିଛି ବୋଲି ସେ କହିଛନ୍ତି ।
ବିଜେଡି ସାଧାରଣ ସଂପାଦକ ତଥା ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଥିବା ଚିତ୍ତରଂଜନ ପଲେଇ ଭୋଜି କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଏବଂ ପରେ ତାଙ୍କର ମୃତଦେହ ମିଳିଥିଲା । ଶ୍ରୀ ଦାସବର୍ମା କହିଛନ୍ତି, କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି ଏବଂ ଦୋଷୀ ଦଣ୍ଡ ପାଉ ବୋଲି ସେ ଚାହାନ୍ତି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ଘଟଣାରେ ରାଜନୈତିକ ସଂପୃକ୍ତି ଥିବାର ଅଭିଯୋଗ ହୋଇଥିବାରୁ ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦିଆଯାଉ ।

LEAVE A REPLY

Please enter your comment!
Please enter your name here