ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ବାଧା ବିଘ୍ନ ଆଲୋଚନା ସମାଲୋଚନାରେ ପୂର୍ଣ୍ଣଛେଦ ପଡିଲା । ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ସଫଳ ହେଲା ତପସ୍ୱିନୀଙ୍କ ତପସ୍ୟା । ହାର ମାନିନଥିଲେ କି ସମାଲୋଚନାକୁ ଖାତିର କରିନଥିଲେ । ଆଶା ଥିଲା ସ୍ୱାମୀଙ୍କ ଘରକୁ ନିଶ୍ଚିନ୍ତ ଯିବେ । ଆଜି ତାହା ସତରେ ପରିଣତ ହୋଇଛି । ସଫଳ ହୋଇଛି ତପସ୍ୱିନୀଙ୍କ ତପସ୍ୟା । ନୂଆବର୍ଷ ଆରମ୍ଭରୁ ତପସ୍ୱିନୀଙ୍କୁ ମିଳିଛି ନ୍ୟାୟ । ଆଜି ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ବଡ ରାୟ ଶୁଣାଇଛନ୍ତି ଜିଲ୍ଲା ଜଜ୍ କୋର୍ଟ । ଆଉ ଏହି ରାୟରେ କୁହାଯାଇଛି ଯେ, ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ରହିବେ ତପସ୍ୱିନୀ । ପ୍ରତିମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ଡାକ୍ତର ସୁମିତ । ପ୍ରତିମାସରେ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୭ ହଜାର ଟଙ୍କା ପାଇବା ପରେ ଏକ ରସିଦ୍ ଦେବେ ତପସ୍ୱିନୀ । ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ତେବେ ସବୁଠୁ ବଡ କଥା ହେଲା ମୂଳରୁ ଶେଷ ଯାଏଁ ତପସ୍ୱିନୀଙ୍କ ସହ ରହିଛନ୍ତି ସମାଜସେବୀ ପ୍ରମିଳା । ମଝିରେ କେବଳ ୭ଦିନ କୋର୍ଟ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ଥିଲେ ସୁମିତ୍ । ଆସିକା ଚିନିକଳ ଗେଷ୍ଟହାଉସରେ ସ୍ୱାମୀଙ୍କ ସହ ୭ଦିନ ରହିଥିଲେ ।
ତେବେ କୋର୍ଟ ରାୟ ଆସିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ତପସ୍ୱିନୀ ଏବଂ ପ୍ରମିଳା । ଧର୍ମର ଜୟ ଏବଂ ସତ୍ୟର ଜୟ ହୋଇଛି ବୋଲି ତପସ୍ୱିନୀ କହିଛନ୍ତି । ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହୋଇଛନ୍ତି ବୋଲି ତପସ୍ୱିନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here