କୋଳରେ ମା’ର ଶବ । ଧୂ ଧୂ ଖରାବେଳେ ଲମ୍ବା ରାସ୍ତାରେ ମାଆର ଶବକୁ କୋଳରେ ଧରି ଶ୍ମଶାନକୁ ନେଇଯାଉଛି ପୁଅ । ସେଦିନ ବାପାର ଶବକୁ ଏମିତି କୋଳରେ ଧରି ଶ୍ମଶାନକୁ ନେଇଥିଲେ ପ୍ରସନ୍ନ । ଆଉ ଆଜି ମା’ର ଶବ । ହୁଏତ ଏ ଦୃଶ୍ୟ ଆପଣଙ୍କୁ ଭଲ ଲାଗିନପାରେ । ଆଉ ଏ ଚିତ୍ର ଦେଖି ଆପଣଙ୍କର ମନେପଡିଯାଉଥିବ ୨୦୧୬ ମସିହାରେ କଳାହାଣ୍ଡିର ଦାନ ମାଝୀ କଥା । ଶବକୁ ସମ୍ମାନ ନମିଳିବାର ଇଏ ଆଉ ଏକ ଉଦାହରଣ । ସାମାଜିକ ବାସନ୍ଦ ପାଇଁ ମା’ର ଶବ ପାଖକୁ ନା ଗାଁ ଲୋକ ଆସିଲେ ନାଁ ଚାରି କାନ୍ଧ ଦେଲେ । ଶେଷରେ ମା’ର ଶବକୁ ଏକାକୀ ବୋହି ନେଇ ସତ୍କାର କଲା ପୁଅ । ଏ ଦୃଶ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଣୁଚିତରା ଗାଁର । ଗାଁର ପ୍ରଶନ୍ନ ପୁଟା ନିଜ ବାପା, ମାଆ ଓ ସ୍ତ୍ରୀ ପିଲାଛୁଆଙ୍କ ସହିତ ଗାଁରେ ଏକାଠି ରହୁଥିଲେ । କୌଣସି କାରଣକୁ ନେଇ ତାଙ୍କର ଜାତି, ସମାଜ ସେମାନଙ୍କ ପରିବାରକୁ ବାସନ୍ଦ କରିଥିଲେ । ୩ ମାସ ପୂର୍ବରୁ ତାଙ୍କ ବାପା ଶ୍ରୀଧର ପୁଟା ୬୦ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ । ବାପାଙ୍କ ଶବକୁ ମଧ୍ୟ ଚାରିକାନ୍ଧ ଦେଇନଥିଲେ ପଡୋଶୀ । ସ୍ବାମୀଙ୍କ ଦେହାନ୍ତ ପରେ ମାନସିକ ସ୍ତରରେ ଅଧିକ ଚିନ୍ତିତ ହୋଇ ପଡିଥିଲେ ସ୍ତ୍ରୀ ପଦୁକେଶି । ତେବେ ଗତକାଲି ରାତିରେ ପଦୁକେଶିଙ୍କ ମୃତ୍ୟୁ ହୋଇଥିଲା । ପ୍ରଶନ୍ନଙ୍କ ପରିବାରକୁ ବାସନ୍ଦ କରିଥିବାରୁ ଜାତିଭାଇ କି ଗାଁ ଲୋକ କାନ୍ଧରେ ନେବାକୁ କେହି ରାଜି ହୋଇ ନଥିଲେ । ଶେଷରେ ପ୍ରଶନ୍ନ ବାଧ୍ୟ ହୋଇ ନିଜ ମାଆର ଶବକୁ ଏକାକି ମଶାଣିକୁ ନେଇଥିଲେ । ଇଏ ହେଉଛି ଆମ ସମାଜ, ଯେଉଁଠି ସଂକୀର୍ଣ୍ଣ ସାମାଜିକ ବିଚାରଧାରା ଭିତରେ ବଳି ପଡିଯାଉଛି ମାନବିକତା । ଆଉ ସବୁ ଦେଖି ବି ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଉଛି ଆମ ସରକାରୀ ବ୍ୟବସ୍ଥା ଓ ଆଇନ ।

LEAVE A REPLY

Please enter your comment!
Please enter your name here