ଆଜି ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଏମସିର ଏହି ୱାର୍ଡ ଅଫିସ୍ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବ। \nଏହି ଅବସରରେ ନବୀନ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର‌୍ୟ୍ୟକ୍ରମରେ ମାଆମାନଙ୍କୁ ସାମିଲ କରାଯିବ। ଏହା ସହ ୱାର୍ଡ ଅଫିସ୍ ରାସ୍ତା ଆଲୋକୀକରଣ, ପାର୍କିଂ ସ୍ଥାନର ବିକାଶ ଓ ରକ୍ଷଣାବେକ୍ଷଣା କରିବ। ଏହି ଅବସରରେ ଇ-ବିପାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ବିପାସ୍ ଦ୍ଵାରା ୪୮ ଘଣ୍ଟାରେ ଆବେଦନକାରୀ ଘର ନକ୍ସା ପାଇବେ। ଭୁବନେଶ୍ଵରରେ ୪୩ଟି ୱାର୍ଡରେ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିବ। ୨୬ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହେବ। ଏହି କ୍ରମରେ ଆଜି ଗଞ୍ଜାମରେ ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟିତ ହୋଇଛି। \nସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ସହରାଞ୍ଚଳରେ ଥିବା ୨୦୩୫ ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବା କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନଲାଇନ ବିବାହ ପ୍ରମାଣ ପତ୍ର ପ୍ରଦାନ ବ୍ୟବସ୍ଥା, ପୁରୀର ଫୋନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ ସାହାଯ୍ୟରେ ଦଶ ହଜାର ସହାୟତା ରାଶି ପ୍ରଦାନ କରାଯିବ। ପ୍ରଥମ ପର‌୍ୟ୍ୟାୟରେ ପୁରୀର ମୋଟ ୧୩୬୯ଜଣଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଏହି କାର‌୍ୟ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here