ଭାରତ ହାତରୁ ମ୍ୟାଚ୍ ଛଡେଇ ନେବାକୁ ଜମଦାର୍ ସଂଘର୍ଷ କଲା ନ୍ୟୁଜିଲାଣ୍ଡ । ମନେ ହେଉଥିଲା ଭାରତ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହେବ । ମାତ୍ର ନ୍ୟୁଜିଲାଣ୍ଡର ସବୁ ସଂଘର୍ଷକୁ ପାଣି ଫଟେଇ ଦେଲେ ମହମ୍ମଦ ଶାମି । ଦ୍ରୁତଗତିରେ ରନ୍ ସଂଗ୍ରହ କରୁଥିବା ନ୍ୟୁଜିଲାଣ୍ଡ ବିଜୟ ସ୍ବପ୍ନକୁ ଧୂଳିସାତ୍ କରିଦେଲେ ଶାମି । ଖୁବ ଉତ୍କଣ୍ଠାପୂର୍ଣ୍ଣ ଥିବା ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ 2019 ପରାଜୟର ପ୍ରତିଶୋଧ ନେବା ସହ ଫାଇନାଲରେ ପ୍ରବେଶ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ଚଳିତ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ୍ ଜିତି ରେକର୍ଡ କରିଛି ।

ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 397 ରନ୍ ର ବିଶାଳ ସ୍କୋର୍ କରିଥିଲା । 398 ରନର ବିଜୟ ଲକ୍ଷ୍ୟ ରଖି ନ୍ୟୁଜିଲାଣ୍ଡ ମଇଦାନକୁ ଓହ୍ଲାଇଥିଲା । 39 ରନ୍ କରିଥିବା ବେଳେ ମହମ୍ମଦ ଶାମି ଦୁଇଟି ଉଇକେଟ୍ ନେଇ ନ୍ୟୁଜିଲାଣ୍ଡକୁ ବଡ ଝଟକା ଦେଇଥିଲେ । ମାତ୍ର ପରେ ମିଚେଲ୍ ଓ ଉଇଲିୟମସନ ଯୋଡି ଦଳର ସ୍ଥିତିକୁ ସୁଦୃଢ କରିବା ସହ ଭାରତ ହାତରୁ ମ୍ୟାଚ୍ ଛଡାଇନେବାର ଭୟ ସୃଷ୍ଟି କରିଥିଲେ । କିନ୍ତୁ ମିଚେଲ 134 ରନ୍ କରିଥିବା ବେଳେ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ । ମହମ୍ମଦ ଶାମି 7ଟି ଉଇକେଟ୍ ନେଇ ନ୍ୟୁଜିଲାଣ୍ଡର ସ୍ବପ୍ନକୁ ଧୂଳିସାତ୍ କରିଦେବା ସହ ଭାରତର ବିଜୟ ଆଶାକୁ ଦୃଢ କରିଦେଇଥିଲେ । 48.5 ଓଭରରେ ନ୍ୟୁଜିଲାଣ୍ଡ 327 ରନ୍ କରି ସମସ୍ତ ଉଇକେଟ୍ ହରାଇଥିଲା । 70 ରନରେ ଭାରତ ସେମି ଫାଇନାଲ ଜିତି ବିଶ୍ବକପରେ ଫାଇନାଲରେ ପ୍ରବେଶ କରିଛି ।

ଆଜିର ମ୍ୟଚ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ମହମ୍ମଦ ଶାମି ପୁରା ଖେଳର ମୋଡକୁ ବଦଳାଇ ଦେଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଜିଣି ନେଇଥିଲେ । ଭାରତର ଏହି ବିଜୟ ସହ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଦୀପାବଳୀ ଭଳି ବାଣ ଫୁଟେଇ ଦେଶବାସୀ ବିଜୟ ଉତ୍ସବ ମନେଇଛନ୍ତି ।

LEAVE A REPLY

Please enter your comment!
Please enter your name here