ଗିରଫ କର, ତଥାପି କୋଲକତା ଯିବି
୧୧ରେ ରାଲି ଆୟୋଜନ ପାଇଁ ଶାହାଙ୍କୁ ଅନୁମତି ଦେଲା ପୁଲିସ ପ୍ରଶାସନ
ନୂଆଦିଲ୍ଲୀ(ଏଜେନ୍ସି): କୋଲକତାରେ ମୋତେ ଗିରଫ କରାଯିବାର ସମ୍ଭାବନା ରହିଛି । ତଥାପି ମୁଁ କୋଲକତା ଗସ୍ତ କରିବି ଏବଂ ୧୧ରେ ଆୟୋଜନ ହେବାକୁ ଥିବା ରାଲିରେ ଯୋଗ ଦେବି । ୨ଠ୧୯ ସାଧାରଣ ନିର୍ବାଚନ ଲକ୍ଷ୍ୟରେ ତାଙ୍କ କୋଲକତା ଗସ୍ତ କରିବା କାର୍ଯ୍ୟକ୍ରମକୁ ନେଇ ଉଠିଥିବା ବିବାଦ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ନିଜେ ଏପରି ପ୍ରତିକ୍ରିୟା ଦେଇଛନ୍ତି ।
ପ.ବଙ୍ଗ ବିଜେପି ପକ୍ଷରୁ ଅଗଷ୍ଟ ୧୧ରେ କୋଲକତା ଠାରେ ଏକ ରାଲି ଆୟୋଜନ କରାଯାଇଛି । ଦଳୀୟ ଅଧ୍ୟକ୍ଷ ଭାବେ ଅମିତ୍ ଶାହା ଏଥିରେ ସାମିଲ ହେବେ । ତେବେ ଶାହାଙ୍କ କୋଲକତା ଗସ୍ତକୁ ନେଇ ରାଜ୍ୟ ସରକାର ବିବାଦ ସୃଷ୍ଟି କରିବା ଦେଖିବାକୁ ମିଳିଛି । ବିଶେଷକରି ଆସାମରେ ସୃଷ୍ଟି ହୋଇଥିବା ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆର୍ସି) ରିପୋର୍ଟକୁ ନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଜେପି ଉପରେ କଠୋର ଆଭିମୂଖ୍ୟ ଗ୍ରହଣ କରୁଥିବା ବେଳେ ଟିଏମ୍ସି କର୍ମକର୍ତ୍ତା ଶାହାଙ୍କ ଗସ୍ତକୁ ବିରୋଧ କରୁଛନ୍ତି । ଏହା ଉପରେ ଶାହା ମନ୍ତବ୍ୟ ଦେଇ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ମଧ୍ୟ ସେ କୋଲକତା ରାଲିରେ ଯୋଗଦେବେ । ସାହସ ଥିଲେ ମମତା ସରକାର ତାଙ୍କୁ ଗିରଫ କରନ୍ତୁ । ଅନ୍ୟପକ୍ଷେ ରାଜ୍ୟ ପୁଲିସ୍ ପକ୍ଷରୁ ଶାହାଙ୍କୁ କୋଲକତାରେ ରାଲି ଆୟୋଜନ କରିବା ଏବଂ ଏଥିରେ ଯୋଗଦେବାକୁ ପ୍ରଥମେ ଅନୁମତି ଦେଇନଥିବା ବେଳେ ପରେ ଅବଶ୍ୟ ଅନୁମତି ଦେଇଥିବା ସୂଚନା ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶାହାଙ୍କୁ କେହି ବିରୋଧ କରୁନାହାନ୍ତି । ଶାହାଙ୍କ ରାଲି ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ବିରୋଧ କରାଯିବାର ପ୍ରଶ୍ନ ଉଠୁନାହିଁ । ଶାହା ଯେଉଁଠି ଯେତେବେଳେ ଚାହିଁବେ ଶାନ୍ତିପୂର୍ଣ୍ଣ ଭାବେ ରାଲି ଆୟୋଜନ କରିପାରିବେ କିମ୍ବା ଯୋଗଦେଇପାରିବେ ।
ସୂଚନାଥାଉ କି, ୪ବର୍ଷ ପୂର୍ବେ ଅର୍ଥାତ୍ ୨ଠ୧୪ରେ ଶାହାଙ୍କୁ କୋଲକତାରେ ରାଲି ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ମନା କରିଦେଇଥିଲା । ପରେ ରାଜ୍ୟ ବିଜେପି ପକ୍ଷରୁ ଏପ୍ରସଙ୍ଗରେ କୋଲକତା ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା, ଯାହା ଉପରେ ଶୁଣାଣି କରି କୋର୍ଟ ଶାହାଙ୍କୁ ରାଲି ପାଇଁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।
ମମତାଙ୍କ ବିରୋଧରେ ମାମଲା
ଗୌହାଟୀ (ଏଜେନ୍ସି): ଆସାମ୍ରେ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏନ୍ଆର୍ସି ଡ୍ରାଫ୍ଟ (ଚିଠା) ତାଲିକାକୁ ନେଇ ଦେଶରେ ରକ୍ତପାତ, ଘୃଣା ତଥା ଗୃହଯୁଦ୍ଧ ସୃଷ୍ଟି ହେବ ବୋଲି ମମତା ନିଜ ପ୍ରତିକ୍ରିୟାରେ କହିଥିଲେ । ତେବେ ତାଙ୍କର ଏପ୍ରକାର ମନ୍ତବ୍ୟକୁ ନେଇ ସେ ଦେଶରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ତେବେ ବୁଧବାର ଆସାମର ଦିବ୍ରୁଗଡ ଅଞ୍ଚଳର ୩ଜଣ ବିଜେପି କର୍ମୀ ତାଙ୍କ ବିରୋଧରେ ଦେଶ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ମାମଲା ରୁଜୁ କରାଇଛନ୍ତି । ସୂଚନାଯୋଗ୍ୟ ଯେ, ଆସାମର ଏନ୍ଆରସି ତାଲିକାରୁ ୪ଠ ଲକ୍ଷ ଲୋକ ବାଦ୍ ପଡ଼ିବା ପରେ ମମତା କହିଥିଲେ ଯେ, ରାଜନୈତିକ ଉଦେ୍ଦଶ୍ୟ ରଖି ଏନ୍ଆରସି ଚିଠା ତାଲିକା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ବିଜେପି ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି, ଏଥିଯୋଗୁଁ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହେବ । ଅପରପକ୍ଷରେ ମମତାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କହିଥିଲେ ଯେ ମମତା ଭୋଟ ରାଜନୀତି ପାଇଁ ଏଭଳି କହୁଛନ୍ତି । ଅମିତ୍ ଶାହାଙ୍କ ମନ୍ତବ୍ୟକୁ ନେଇ ବୁଧବାର ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦମାନେ ପ୍ରବଳ ହୋହଲ୍ଲା କରିବା ଦେଖିବାକୁ ମିଳିଥିଲା ।
ନିର୍ବାଚନ ଆୟୋଗର ସ୍ପଷ୍ଟୀକରଣ
ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତିଙ୍କୁ ଭୋଟ୍ଦାନ ଅଧିକାର ମିଳିବ
ନୂଆଦିଲ୍ଲୀ(ଏଜେନ୍ସି): ଆସାମ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ତାଲିକାରୁ ବାଦ୍ ପଡିଥିବା ୪ଠଲକ୍ଷ ବ୍ୟକ୍ତିଙ୍କ ଭୋଟ୍ ଦେବା ଅଧିକାରକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ତେବେ ଏହା ଉପରେ ନିର୍ବାଚନ ଆୟୋଗ ନିଜ ସ୍ପଷ୍ଟୀକରଣ ରଖିଛନ୍ତି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ୍ଦାନ ଅଧିକାର ପୂର୍ବବତ୍ ଜାରି ରହିବ । ତେଣୁ ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତି ଏହାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ । ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ୍ କହିଛନ୍ତି ଯେ, ଆସାମରେ ରହୁଥିବା ଯେଉଁ ବ୍ୟକ୍ତିଙ୍କ ନାମ ଏନ୍ଆରସି ଚିଠା ତାଲିିକାରେ ନାହିଁ ସେମାନେ ଭୋଟଦାନ ଅଧିକାରକୁ ନେଇ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ୨ଠ୧୯ ଜାନୁଆରୀରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାନି ଭୋଟର ତାଲିକା ପ୍ରକାଶ ପାଇବ । ସେହି ତାଲିକାରେ ଯଦି ସେମାନଙ୍କ ନାମ ରହିଥିବ ତେବେ ସେମାନେ ନିଶ୍ଚିତ ଭାବେ ମତଦାନ କରିପାରିବେ । ଏଥିସହ ଏହି ପ୍ରସଙ୍ଗରେ ଯେଉଁ ମିଥ୍ୟା ଗୁଜବ ସୃଷ୍ଟି କରାଯାଉଛି, ନିର୍ବାଚନ କମିଶନର ଏହାକୁ ଖଣ୍ଡନ କରିଛନ୍ତି ।
୪ଠ ଲକ୍ଷ ନାଗରିକ ବାଂଲାଦେଶୀ ନୁହଁନ୍ତି
ନୂଆଦିଲ୍ଲୀ(ଏଜେନ୍ସି): ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ ତାଲିକାରୁ ବାଦ୍ ପଡିଥିବା ୪ଠଲକ୍ଷ ନାଗରିକ ବାଂଲାଦେଶୀ କିମ୍ବା ରୋହିଙ୍ଗ୍ୟା ବୋଲି ଯାହା ଆଲୋଚନା ହେଉଛି, ଏହା ଉପରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏମାନେ ବାଂଲାଦେଶୀ ନୁହଁନ୍ତି ବୋଲି ବାଂଲାଦେଶ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହସନ୍ ଉଲ ହକ୍ ଇନୁ କହିଛନ୍ତି ଯେ କୌଣସି ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରି ରହିନାହାନ୍ତି । ତେବେ ଯେଉଁମାନେ ଆସାମରେ ରହିଛନ୍ତି ସେମାନଙ୍କ ସମ୍ପର୍କରେ ସୂଚନା ଗ୍ରହଣ କରାଯାଇ ଅନୁଧ୍ୟାନ କରାଯାଇଛି, ଏମାନେ ବାସ୍ତବରେ ବାଂଲାଦେଶୀ ନୁହଁନ୍ତି । ସେମାନେ ଦୀର୍ଘ ଦିନ ଧରି ଭାରତରେ ନାଗରିକ ଭାବେ ରହିଆସିଛନ୍ତି । ତେଣୁ ଏହା ଭାରତର ଆଭ୍ୟନ୍ତରୀଣ ସମସ୍ୟା, ଏକଥା ଭାରତ ବାଂଲାଦେଶ ଉପରେ ନ ଲଦି ନିଜ ସମସ୍ୟା ନିଜେ ସମାଧାନ କରୁ ବୋଲି ହସନ୍ ଉଲ ହକ୍ କହିଛନ୍ତି ।