ଜଣେ ଶିକ୍ଷକ କେତେ ତଳକୁ ଖସିପାରେ । ଶିକ୍ଷକ ଭଳି ବୃତ୍ତିକୁ ଆଦରିଥିବା ମଣିଷ କେତେ ଭୟଙ୍କର ହୋଇପାରେ । ଜଣେ କି ଦୁଇଜଣ ନୁହେଁ, ପାଞ୍ଚଜଣ କୋମଳମତୀ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରିବା ଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ । ଗତ ଅଗଷ୍ଟମାସରେ କୋଭିଡ କଟକଣା କୋହଳ ହେବାପରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏଭଳି ଭୟଙ୍କର ଅଭିଯୋଗ ଆସିଛି । ସମସ୍ତ ଶିଶୁକନ୍ୟାଙ୍କ ବୟସ 7 ବର୍ଷରୁ ଏଗାର ବର୍ଷ । ସଂପୃକ୍ତ ପ୍ରଧାନଶିକ୍ଷକ ଏହି ଛୋଟ ଛୋଟ ଝିଅମାନଙ୍କୁ ଦୁଷ୍କର୍ମ କରିବାପୂର୍ବରୁ ସେମାନଙ୍କୁ ଅଶ୍ଳିଳ ଭିଡିଓ ଦେଖାଇଥାନ୍ତି । ପରେ ସେମାନଙ୍କ ସହ ଦୁଷ୍କର୍ମ କରିଥାନ୍ତି । ଲଗାତର ଭାବେ ନିଜ ଘରକୁ ନେଇ ଜଣଙ୍କ ପରେ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରୁଥିବା ଏହି କାମୁକ ପ୍ରଧାନଶିକ୍ଷକର କାରନାମା ସେତେବେଳେ ଧରାପଡିଥିଲା, ଯେତେବେଳେ ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ସାତ ବର୍ଷର ଝିଅ ଅସୁସ୍ଥ ହେବା ସହ ତା ମାଆଙ୍କୁ ସବୁକଥା କହିଥିଲା । ସ୍କୁଲ ଏସଆଇ ଦେଇଥିବା ସୂଚନା ଅନୁଯାୟୀ, ପ୍ରଥମ ପୀଡିତା ଜଣକ କହିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ପ୍ରଧାନଶିକ୍ଷକ ଜଣକ କେବଳ ଜଣେ ନୁହେଁ, ପାଞ୍ଚଜଣ ଝିଅଙ୍କୁ ଲଗାତର ଦୁଷ୍କର୍ମ କରିଥିବା ଜଣାପଡିଥିଲା । ଦୁଷ୍କର୍ମ କରିବା ପରେ ସଂପୃକ୍ତ ପ୍ରଧାନଶିକ୍ଷକ ଝିଅମାନଙ୍କୁ ଛୁରୀ ଦେଖାଇ କାହାକୁ ନ କହିବାକୁ ଧମକ ଦେଉଥିଲା । ଗତ ସୋମବାର ଦିନ ଏହି ଘଟଣାରେ ପୀଡିତାଙ୍କ ମାଆଙ୍କ ବୟାନ ରେକର୍ଡ କରାଯିବା ବେଳେ ସେ କହିଥିଲେ, ତାଙ୍କ ଝିଅ ପ୍ରତିଦିନ ସ୍କୁଲ ଯିବାକୁ ରାଜି ହେଉନଥିଲା । ତାକୁ ଯେତେ ପଚାରିଥିଲେ ମଧ୍ୟ ସେ କିଛି କହୁ ନଥିଲା । ମାତ୍ର ଅସୁସ୍ଥ ହେବା ପରେ ତା ସହ ପ୍ରଧାନଶିକ୍ଷକ କିଭଳି ଯୌନ ଅତ୍ୟାଚାର କରୁଥିଲେ, ମାଆଙ୍କ ଆଗରେ କହିଥିଲା । ପୋଲିସ ପ୍ରଧାନଶିକ୍ଷକକୁ ଗିରଫ କରିବା ସହ ମେଡିକାଲ ପରୀକ୍ଷା କରିଛି ।

LEAVE A REPLY

Please enter your comment!
Please enter your name here