ଉନ୍ମୋଚିତ ହୋଇଯାଇଛି କବି ଅଖିଳ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ଷଷ୍ଠ କବିତା ସଙ୍କଳନ “ମହାଯଜ୍ଞ” । ଅନଲାଇନ୍ ମାଧ୍ୟରେ ଏହାକୁ ଉନ୍ମୋଚନ କରାଯାଇଛି ।
ମନୁଷ୍ୟ ଜୀବନରେ ଥିବା ଆଶା, ଆକାଂକ୍ଷା ଏବଂ ମାନବିକ ମୂଲ୍ୟବୋଧକୁ ଖୁବ ସୁନ୍ଦର ଭାବେ ଏଥିରେ ଉଲ୍ଲେଖ କରାଯାଇଛି। ଅନଲାଇନ୍‌ରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ରଖିଥିଲେ। “ମହାଯଜ୍ଞ ” ମନୁଷ୍ୟ ମାନଙ୍କ ମଧ୍ୟରେ ଥିବା ଦୁର୍ଲଭ ସମ୍ପର୍କ ର ସେତୁ ସୃଷ୍ଟି କରିପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ କବି ମିଶ୍ର । ସେହିପରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋ ଏବଂ ପତ୍ର ସୂଚନା ବ୍ୟୁରୋର ଅତିରିକ୍ତ ମହାନିର୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ “ମହାଯଜ୍ଞ” କବିତା ପାଠକ ମାନଙ୍କ ମଧ୍ୟରେ ପଢିବା ଅଭ୍ୟାସ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି । ଶାରଳା ପୁରସ୍କାର ବିଜେତା କବି ଡ଼. ହୃଷିକେଶ ମଲ୍ଲିକ ବହିଟି ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ମନୁଷ୍ୟର ଦୁଃଖ ଲିଭେଇବା ଏବଂ ଆନନ୍ଦ ପ୍ରଦାନ କରିବାର ଏକ ଚମତ୍କାର ଚେଷ୍ଟା ବୋଲି ମତବ୍ୟକ୍ତ କରିଛନ୍ତି। କବି ପ୍ରଦୀପ ବିଶ୍ୱାଳ ବହିଟି ଜୀବନ ପ୍ରତି ଆସ୍ଥାବାନ ହେବା ପାଇଁ ପ୍ରେରଣା ଯୋଗାଇ ଦେବ ବୋଲି ପ୍ରକାଶ କରିଛନ୍ତି । ଗବେଷିକା ଏବଂ କଣ୍ଠଶିଳ୍ପୀ ଡ଼. ମମତା ତ୍ରିପାଠୀ ଏହି ଅବସରରେ ଯୋଗ ଦେଇ କହିଛନ୍ତି ଜୀବନର ପ୍ରତି ପାହାଚକୁ ଖୁବ ସୁନ୍ଦର ଭାବରେ କବିତା “ମହାଯଜ୍ଞ”ମାଧ୍ୟମରେ ଚିତ୍ରିତ କରାଯାଇଛି। ପ୍ରକାଶକ ଡ଼. ସୁନୀତି ମୁଣ୍ଡ୍ ବହିଟି ପାଠକ ମାନଙ୍କ ମଧ୍ୟରେ ଖୁବ ଭଲ ଭାବେ ଆଦୃତ ହୋଇପାରିବ ବୋଲି ଉଲ୍ଲେଖ କରିଥିବା ବେଳେ ପ୍ରାଧ୍ୟାପକ ବିଜୟ କୁମାର ଶତପଥି ଏବଂ ଲେଖକ ଡ଼. ବିଜୟାନନ୍ଦ ସିଂହ ଜୀବନର ମୂଲ୍ୟବୋଧ କୁ ଖୁବ ସୁନ୍ଦର ଭାବେ କବିତା ମାଧ୍ୟମରେ ପ୍ରକାଶିତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ସଂଯୋଜିକା ଗୀତାଞ୍ଜଳି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସହ ବହି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ଏବଂ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here