ରାୟଗଡା ଜିଲ୍ଲା ଓଡିଶା ରାଜ୍ୟ କର୍ମଚାରୀ ବୀମା ମେଡିକାଲରେ ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ବିଭିନ୍ନ କାରଖାନାର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତ ୧୯୮୦ ମସିହାରେ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ନିର୍ମାଣ ହୋଇଥିଲା ଓଡିଶା ରାଜ୍ୟ କର୍ମଚାରୀ ବୀମା ମେଡିକାଲ । କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ଦେବା ପାଇଁ ପ୍ରତିମାସ ବେତନରୁ ୪ ପ୍ରତିଶତ ଟଙ୍କା ବି ନିଆଯାଉଛି । ହେଲେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଚିକିତ୍ସା ପାଇଁ ତଳେ ବସି ଡାକ୍ତରଙ୍କୁ ଅନେଇ ବସିଛନ୍ତି ରୋଗି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୧୫ ଜଣ ବିଶେଷଗ୍ୟ ଡାକ୍ତରଙ୍କ ବଦଳରେ ମେଡିକାଲରେ ରହିଛନ୍ତି ମାତ୍ର ୪ ଜଣ ଡାକ୍ତର । ଅଧିକାଂଶ ବିଭାଗରେ ଝୁଲୁଛି ତାଲା । ମେଡିକାଲରେ ଲାଗିଥିବା ଅନେକ ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ରଖାଯାଇଥିବା ଜେନେରେଟର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ମେଡିକାଲରେ ଡାକ୍ତରଙ୍କ ଅଭାବ ରୋଗିଙ୍କ ଚିନ୍ତା ବଢାଇଦେଇଛି । ଫଳରେ ରୋଗି ଉତ୍ତମ ସ୍ୱାସ୍ଥ୍ୟସେବା ନପାଇ ଆନ୍ଧ୍ରପ୍ରଦେଶ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମେଡିକାଲରେ ଦୁଇଟି ଆମ୍ବୁଲାନ୍ସ ରହିଥିବାବେଳେ ଜଣେ ମାତ୍ର ଡ୍ରାଇଭର ନିଯୁକ୍ତି ପାଇଛନ୍ତି । ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ମେଡିକାଲର ଉନ୍ନୟନ ବାବଦକୁ ପ୍ରାୟ ୨ କୋଟି ୭୫ ଲକ୍ଷ ଟଙ୍କାରେ ନୂତ୍ତନ କୋଠା ଓ ଅନ୍ୟାନ୍ୟ ଗୃହ ନିର୍ମାଣ ହୋଇଥିବାବେଳେ ତାହା ତିନି ମାସ ନପୁରୁଣୁ ଭାଙ୍ଗିରୁଜି ଗଲାଣି । କୋଠାର କାନ୍ଥରୁ ସିମେଣ୍ଟ ବାହାରିପଡୁଛି । ତେବେ ସମସ୍ୟାର ସମାଧାନ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆରମ୍ଭ ହେଲା ଇଏସଆଇସି ମେଡିକାଲ । ହେଲେ ଏହି ମେଡିକାଲ ଏବେ ନିଜେ ଅସୁସ୍ଥ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here