ଖୋର୍ଦ୍ଧାର ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ଏଯାଏଁ ପୋଲିସର ହାତ ଖାଲି । ତେବେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର ରହିଥିବା ପୋଲିସ ପ୍ରମାଣ ପାଇବା ସହ ଅପରାଧୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି
ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ତଦନ୍ତ ପାଇଁ ୪ଟି ଟିମ ଗଠନ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସିସିଟିଭି ଯାଂଚ ମଧ୍ୟ କରୁଛି । ତଦନ୍ତ ପାଇଁ ଗଠନ ହୋଇଥିବା ୪ଟି ଟିମରୁ ଗୋଟିଏ ଟିମ ଡାକ୍ତରଙ୍କ ପରିବାର ସହ ଆଲୋଚନା କରି ତଥ୍ୟ ନେଉଥିବା ବେଳେ ଅନ୍ୟ ଟିମ ନୟାଗଡ଼ ଓ ରଣପୁରରେ ପେଷାଦାର ଅପରାଧୀଙ୍କ ରେକର୍ଡ଼ ଯାଂଚ କରୁଛି । ଆଉ ଏକ ଟିମ ବ୍ରହ୍ମପୁରରେ ସୁପାରି କିଲରଙ୍କ ସମ୍ପର୍କରେ ଖୋଳତାଡ଼ କରୁଥିବା ବେଳେ ଅନ୍ୟ ଟିମ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ତଦନ୍ତ ଜାରି କରିଛି ।
ରବିବାର ସନ୍ଧ୍ୟା ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ କ୍ଲିନିକରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ବସିଥିଲେ । କ୍ଲିନିକ ଉପରେ ଜଣେ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳିମାଡ଼ କରିଥିଲେ । ଡାକ୍ତରଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ତେବେ ଗୁଳି ଶବ୍ଦ ଶୁଣି କ୍ଲିନିକରେ ଥିବା ଔଷଧ ଦୋକାନୀ ଦୈାଡ଼ି ଆସିଥିଲେ । ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା । ତାଙ୍କ ପେଟରେ ଗୁଳି ବାଜିଥିଲା । ଚିକିତ୍ସା ପାଇଁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଔଷଧ ଦୋକାନୀ ହେଲେ କୃଷ୍ଣଚନ୍ଦ୍ର ସାହୁ ।

LEAVE A REPLY

Please enter your comment!
Please enter your name here