ଚିକିତ୍ସା ନାମରେ ରୋଗୀର ଜୀବନ ସହ ଚାଲିଛି ଖେଳ। ଖେଳ ଖେଳୁଛନ୍ତି ଖୋଦ ଡାକ୍ତର ବାବୁ। ଯାହାକୁନେଇ କପ୍ତିପଦା ଡାକ୍ତରଖାନାରେ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡି ପଞ୍ଚାୟତ ଦୁଣ୍ଡରିଆ ଗ୍ରାମର ନରେନ୍ଦ୍ର ମହାନ୍ତି ଝାଡ଼ାରେ ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଣାୟତ ହେବାରୁ କପ୍ତିପଦା ଡାକ୍ତରଖାନାରେ ପରିବାର ଲୋକ ଭର୍ତ୍ତି କରିଥିଲେ । ଆଉ ଡାକ୍ତରଖାନାରେ ଚିକିତ୍ସା ବି ଆରମ୍ଭ ହୋଇଥିଲା । ଡ୍ୟୁଟିରେ ଥିବା ଡାକ୍ତର ଉମାକାନ୍ତ ବାସ୍କେ ସିଫ୍ରୋଫ୍ରକ୍ସାସିନ ସାଲାଇନ ଦେବାକୁ ପରାମର୍ଶ ଦେଇଥିଲେ। ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଡ୍ୟୁଟିରେ ଥିବା ନର୍ସ ରୋଗୀକୁ ସାଲାଇନ ଲଗାଇଥିଲେ। ମାତ୍ର ଲାଗିଥିବା ସାଲାଇନ ବୈଦ୍ଧ ସମୟ ଅତିକ୍ରମ କରିଥିବା ସାଲାଇନରେ ସୂଚିତ ହୋଇଥିବା ତାରିଖରୁ ଜଣାପଡିଥିଲା। ପରିବାର ଲୋକେ ଡାକ୍ତରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଅଭିଯୋଗକୁ ଅସ୍ବୀକାର କରିଥିଲେ ସମ୍ପୃକ୍ତ ଡାକ୍ତର। ତେବେ ଉକ୍ତ ସାଲାଇନଟି ନଭେମ୍ବର ୨୦୧୬ରେ ପ୍ରସ୍ତୁତ ହୋଇଥିଲା ବେଳେ ୨୦୧୯ ଅକ୍ଟୋବରରେ ବୈଦ୍ଧସୀମା ଅତିକ୍ରମ କରିଛି। ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଏକ୍ସପାରି ସାଲାଇନ ଲଗାଇବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ଡ୍ୟୁଟି ରୁମରୁ ସମାନ ଆଉ ୪ଟି ସାଲାଇନ ମିଳିଥିଲା ।ଯାହାକୁ ନେଇ ତୀବ୍ରରୂପ ନେଇଥିଲା ଲୋକଙ୍କ ଅସନ୍ତୋଷ। ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଖବରପାଇ କପ୍ତିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here