କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ର ସରକାର ଏ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସୁନ୍ଦରଗଡର ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି । ଏଥିସହ ସେ କହିଛନ୍ତି, ସୁନ୍ଦରଗଡ ହକିର ଜନ୍ମଭୂମି । ସାରା ବିଶ୍ୱରେ ହକି ହିଁ କ୍ରୀଡା କ୍ଷେତ୍ରରେ ଭାରତ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହିଳା ମାନଙ୍କୁ ନେଇ ନବୀନ କହିଛନ୍ତି,ମହିଳାମାନେ ହିଁ ବିକାଶର ଡବଲ ଇଞ୍ଜିନ । ସୁନ୍ଦରଗଡର ଲୋକସଭା ପ୍ରାର୍ଥୀନି ସୁନିତା ବିଶ୍ୱାଳଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ନବୀନ । ଏଥିସହିତ କେନ୍ଦ୍ର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ, ନିର୍ବାଚନ ଆସିଲେ କେନ୍ଦ୍ରର ବଡ ବଡ ନେତାମାନଙ୍କର ଓଡିଶା କଥା ମନେପଡେ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କୁଆଡେ ଗଲା? ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ କୁଆଡେ ଗଲା? କାହିଁକ ବୀମା କରି ଚାଷୀ ହଇରାଣ ଓ କମ୍ପାନୀ ଲାଭବାନ? କୋଇଲାରୁ କେନ୍ଦ୍ର ସରକାର ପାଉଛି କୋଟି କୋଟି ଟଙ୍କା । ଓଡିଶା ପାଉଛି ପ୍ରଦୂଷଣ ଓ ଧୂଳି । ସୁନ୍ଦରଗଡରୁ କେନ୍ଦ୍ରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ସେ ସବୁ ଜାଣନ୍ତି । କିନ୍ତୁ ତାଙ୍କ ହାଇକମାଣ୍ଡଙ୍କ ଆଗରେ ଆପଣଙ୍କ ହକ୍ କହିବା ପାଇଁ ତାଙ୍କର ସାହସ ନାହିଁ । କିନ୍ତୁ ଆପଣାମାନେ ହେଉଛନ୍ତି ମୋର ହାଇକମାଣ୍ଡ । ଆପଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୋର ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here