ହାତରେ କେକ୍ ଧରି ସାଣ୍ଟାକ୍ଲସ୍ ଉତ୍ସବସ୍ଥଳୀକୁ ପ୍ରବେଶ କରିଥିଲା । ପିଲାମାନେ ସାଣ୍ଟାକୁ ଦେଖି ଖୁସିରେ ତାଳିମାରି ନାଚିବା ସହ ସ୍ବାଗତ କରିଥିଲେ । ଆଉ ମ୍ୟୁଜିକର ତାଳେ ତାଳେ ସାଣ୍ଟା କୁନି କୁନି ଶିଶୁମାନଙ୍କ ହାତ ଧରି ନାଚିବା ସହ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲା । ଏକ୍ସମାସ୍ ଛୁଟି ପୂର୍ବରୁ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲର କୁନି କୁନି ଶିଶୁମାନେ ଆଜି ଏମିତି ପାଳନ କରିଥିଲେ ଖ୍ରୀଷ୍ଟମାସ ଡେ ।

ଭୁବନେଶ୍ବର ଉପକଣ୍ଠ ଇନ୍ଦିରାକଲୋନୀ, ଲିଙ୍ଗିପୁରସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ ଖ୍ରୀଷ୍ଟମାସ ଡେ ଅତି ଆନନ୍ଦ ଉତ୍ସାହର ସହ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ ଅତିଥି ଭାବେ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବବିଦ୍ୟାଳୟର ବ୍ରହ୍ମାକୁମାରୀ କଳ୍ପନା ଓ କଳିଙ୍ଗଟିଭିର ଡେପୁଟୀ ଚିଫ୍ ଏଡିଟର ସୌମ୍ୟା ପରିଡା ଯୋଗଦେଇ କୁନି କୁନି ଶିଶୁମାନଙ୍କ ବୌଦ୍ଧିକ ବିକାଶ ଦିଗରେ ଅଭିଭାବକମାନେ କିଭଳି ଯତ୍ନବାନ ହେବା ଆବଶ୍ୟକ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପିଲାମାନଙ୍କ ଉପରେ ପାଠପଢାର ଚାପ ନ ଦେଇ ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀର କିପରି ବିକଶିତ ହୋଇପାରିବ, ସେଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀମାନେ ଧ୍ୟାନ ଦେବା ଉପରେ ସେମାନେ ଗୁରୁତ୍ବ ଦେଇଥିଲେ ।

ବିଦ୍ୟାଳୟର ଏଲକେଜି ଛାତ୍ରୀ ସ୍ତୃତି ପ୍ରଜ୍ଞା ଓଝା, ନର୍ସରୀ କ୍ଲାସର ଉଦୀତ ଏବଂ ସୋନମପ୍ରିୟା ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇଥିଲେ । ସେହିପରି ବେଷ୍ଟ ସ୍କ୍ରାପ୍ବୁକ୍ ଆକ୍ଟିଭିଟିଜ୍ ପାଇଁ ଆରାଧ୍ୟା ସାମନ୍ତରାୟ, ବେଷ୍ଟ ଆଟେଣ୍ଡାନ୍ସ ପାଇଁ ଉଦୀତ ଉତ୍କର୍ଷ ଜେନା ଏବଂ ମଷ୍ଟ ପଂକ୍ଚୁଆଲ ପାଇଁ ସୋନମପ୍ରିୟା ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା ।

ମାତ୍ର ଛ ମାସ ତଳେ ଆରମ୍ଭ ହୋଇଥିବା ସ୍କୁଲ ଅଭିଭାବକମାନଙ୍କ ସହଯୋଗ ବଳରେ ସଫଳତାର ଯାତ୍ରା ଆରମ୍ଭ କରିଛି ବୋଲି ସେକ୍ରେଟାରୀ ଅପୂର୍ବ କୁମାର ମହାନ୍ତି କହିଥିଲେ । ସେହିପରି ପ୍ରିନସିପାଲ ଯମୁନା ରାଉତରାୟ ଅନୁଷ୍ଠାନର ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରାବଣୀ ମୁଖାର୍ଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ତୃପ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here