ସିକ୍କିମ: ନିଜକୁ ଦେଶର ପ୍ରଥମ କାଗଜପତ୍ର ବିହୀନ (ପେପରଲେସ୍) ନ୍ୟାୟପାଳିକାର ଘୋଷଣା କରିଛି ସିକ୍କିମ। ଏହି ଘୋଷଣା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗ୍ୟାଙ୍ଗଟକର ଚିନ୍ତନ ଭବନରେ ଅନୁଷ୍ଠିତ ଜାତୀୟ ବୈଷୟିକ ଓ ନ୍ୟାୟିକ ଶିକ୍ଷା ସମ୍ମିଳନୀର ଉଦଘାଟନ ଅବସରରେ କରିଛନ୍ତି। ଏହି ଦୁଇ ଦିବସୀୟ ସମ୍ମିଳନୀ ସିକ୍କିମ ହାଇକୋର୍ଟଙ୍କ ଇ-କମିଟି ସହଯୋଗରେ ଆୟୋଜନ କରାଯାଇଛି, ଯେଉଁଥିରେ ଦେଶ ବିଦେଶର ବିଚାରବିଭାଗୀୟ ବିଶେଷଜ୍ଞ, ବିଚାରପତି ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ଭାଗ ନେଇଛନ୍ତି।ସିଜେଆଇ ସମ୍ବୋଧନରେ କହିଛନ୍ତି ଯେ ସିକ୍କିମର ପେପରଲେସ୍ ନ୍ୟାୟପାଳିକା କେବଳ ଏକ ରାଜ୍ୟର ଉପଲବ୍ଧି ନୁହେଁ ବରଂ ସାରା ଦେଶକୁ ଦିଗଦର୍ଶନ ଦେବା ଭଳି ଏକ ପଦକ୍ଷେପ। ସେ କହିଛନ୍ତି ଯେ ଏବେ ନ୍ୟାୟପାଇବା ଲାଗି ଲୋକଙ୍କୁ ଦୀର୍ଘ ଓ କଠିନ ଯାତ୍ରା କରିବାକୁ ପଡିବ ନାହିଁ। କାରଣ ଡିଜିଟାଲ ମାଧ୍ୟମରେ କେସ୍ ଦାଖଲ କରିବାରୁ ଆରମ୍ଭ କରି ଶୁଣାଣି ପର୍ଯ୍ୟନ୍ତ ପ୍ରକ୍ରିୟା ସହଜରେ ହେଉଛି। ସେ କହିଛନ୍ତି ଯେ ଭାରତୀୟ ନ୍ୟାୟ ବ୍ୟବସ୍ଥା ପାରମ୍ପରିକ କାଗଜ ପ୍ରଣାଳୀରୁ ଆଗକୁ ବଢି ଏକ ମଜଭୁତ ଡିଜିଟାଲ ପ୍ରଣାଳୀରେ ପରିବର୍ତ୍ତିତ ହୋଇ ସାରିଛି। ଇ-କୋର୍ଟ ପ୍ରକଳ୍ପରେ କୋର୍ଟ କାମ ଅନଲାଇନରେ ହେଉଛି। ଏଣୁ ପାରଦର୍ଶିତା ଓ ଗତି ଉଭୟ ବଢିଛି। ସିଜେଆଇ କହିଛନ୍ତି ଯେ ଅନୁବାଦ ପ୍ରଣାଳୀ (ଏସୟୁଭିଏଏସ୍), ଏଆଇ ଆଧାରିତ ଆଇନ ସହାୟକ (ଏସୟୁପିଏସଇଇ) ଭଳି ବୈଷୟିକ ଉପକରଣ ବିଚାରପତିଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରୁଛି। ଏଣୁ କାମ ଅଧିକ ପ୍ରଭାବୀ ଓ ଦ୍ରୁତ ହେଉଛି। ସେ କହିଛନ୍ତି ଯେ ଏବେ ଦୂରଦୂରାନ୍ତରେ ରହୁଥିବା ଲୋକେ ସେମାନଙ୍କ ମୋକଦ୍ଦମାର ସୂଚନା ଅନଲାଇନ ପାଇପାରୁଛନ୍ତି, ଆଦେଶ ପ୍ରାପ୍ତ କରିପାରୁଛନ୍ତି ଓ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଣାଣିରେ ସାମିଲ ହୋଇ ପାରୁଛନ୍ତି।ସିଜେଆଇ ଏହା ବି ସ୍ୱୀକାର କରିଛନ୍ତି ଯେ ଏବେ ବି ସୁଧାରର ଆବଶ୍ୟକତା ରହିଛି। ସବୁ କୋର୍ଟରେ ଏକପ୍ରକାରର ଡିଜିଟାଲ ବ୍ୟବସ୍ଥା ଲାଗୁ କରିବା ପାଇଁ ଇ-ସେବା କେନ୍ଦ୍ର ସମ୍ପ୍ରସାରଣ ଜରୁରି। ଏହା ଦ୍ୱାରା ଡିଜିଟାଲ ଜ୍ଞାନ ନଥିବା ଲୋକେ ବି ଏହି ସୁବିଧାର ଲାଭ ନେଇ ପାରିବେ।

LEAVE A REPLY

Please enter your comment!
Please enter your name here