ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ଆଗରୁ କେବଳ ବିଜେଡି ଓ ବିଜେପିରେ ନେତାଙ୍କ ଯୋଗଦାନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ କଂଗ୍ରେସ ଶିବିରରେ ବି ଭିଡ ଦେଖିବାକୁ ମିଳିଲାଣି. ଆଦିବାସୀ ନେତା ତଥା ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ସାମାଜିକ କର୍ମୀ ସୁଦର୍ଶନ ଦାସ କଂଗ୍ରେସରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ତିର୍କୀ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ସାମାଜିକ କର୍ମୀ ସୁଦର୍ଶନ ଦାସ ଓ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆଉ ୪ଜଣ ସଦସ୍ୟ ମଧ୍ୟ ହାତ ଧରିଛନ୍ତି । ସେମାନେ ହେଲେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ମାନବାଧିକାର କର୍ମୀ ମନୋଜ ଜେନା, ସାମାଜିକ କର୍ମୀ ବିଜୟ ପ୍ରଧାନ ଏବଂ ନିରଦ କରଣ ଖୁଣ୍ଟିଆ । ଏମାନଙ୍କର ଯୋଗଦାନ ଦଳକୁ ମଜବୁତ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ବିକାଶ ଲାଗି ସବୁ ଦଳର ନେତାଙ୍କୁ କଂଗ୍ରେସରେ ଯୋଗଦେବା ପାଇଁ ନିରଞ୍ଜନ ଆହ୍ୱାନ କରିଛନ୍ତି । ଏମିତିକି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଯୋଗଦେବା ପାଇଁ କହିଛନ୍ତି ।
କଂଗ୍ରେସରେ ଯୋଗ ଦେବାପରେ ଜର୍ଜ ତିର୍କୀ ରାଜ୍ୟରେ କଂଗ୍ରେସକୁ ବିଜୟ କରିବା ପାଇଁ ସେ ହାତ ଧରିଥିବା କହିଛନ୍ତି । ବିଜେଡି ଓ ବିଜେପିକୁ ପ୍ରତିହତ କରିବା ଦିଗରେ କାମ କରିବି ଏବଂ ରାହୁଲ ଗାନ୍ଧିଙ୍କ ପ୍ରତି କୃତଜ୍ଞ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here