ଆସନ୍ତା ନିର୍ବାଚନରେ ଦାମ ବାଣ ବିଜେଡି ପାଇଁ ସବୁଠୁ ମାରାତ୍ମକ . ଏମିତିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପିଠୁ ବି ଅଧିକ ଭୟଙ୍କର ସାବ୍ୟସ୍ତ ହେବ ଦାମ ବାଣ. ଏଥିପାଇଁ ଚିନ୍ତାରେ ଅଛନ୍ତି ବିଜେଡିର ଷ୍ଟ୍ରାଟେଜୀ ଟିମ୍. ଦାମ ବାଣର ଭୟାବହତା ନେଇ ବିଜେଡି ଟିମ୍ ପାଖରେ ବି ଖବର ଥିଲା. ସେଥିପାଇଁ କୌଣସିମତେ ଦଳ ଭିତରେ ଚାପି ରଖିବାକୁ ଉଦ୍ୟମ କରାଯାଉଥିଲା. ମାତ୍ର ସ୍ଥିତି ଏମିତି ହୋଇଥିଲା ଯେ, ଦାମବାବୁଙ୍କୁ ଦଳରୁ ବାହାର କରିବା ପାଇଁ ଦଳର ଷ୍ଟ୍ରାଟେଜୀ ଟିମ୍ ନିଷ୍ପତ୍ତି ନେଇଥିଲା. ଏବେ ଦଳରୁ ବାହାରିବା ପରେ ଦାମ ବାବୁଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି. କେବଳ ପାରାଦୀପ କି ଭୁବନେଶ୍ବର ନୁହେଁ, ଦାମ ବାବୁ ବିଜେଡିର ବଛା ବଛା ନେତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ଦଳର ଗୁମର ଖୋଲିବେ. ବିଜେପିରେ ଥାଇ ବି ନଥିବା ପରି ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବି ଏଥିରେ ସାମିଲ ହେବେ. ବିଜେଡିରୁ ବାହାରିବା ପରେ କୌଣସି ଦଳରେ ସାମିଲ ହୋଇ ନଥିବା ନେତା ବୈଜୟନ୍ତ ପଣ୍ଡା ବି ଦାମଙ୍କ ଟିମରେ ରହିବେ. ବିଜେଡି କିଭଳି ବିଜୁ ଆଦର୍ଶରୁ ଦୂରେଇ ଯାଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛି, ସର୍ବସାଧାରଣରେ ତାର ଖୁଲାସା କରିବେ ଦାମ. ବିଜେଡି ବିରୋଧରେ ଦାମଙ୍କ ବିଷୋଦଗାରକୁ କିଭଳି ରାଜନୀତିରେ ବ୍ୟବହାର କରାଯାଇପାରିବ, ସେଥିପାଇଁ ବିରୋଧୀ ବି କୌଶଳ ପ୍ରସ୍ତୁତ କରିବା ଆରମ୍ଭ କଲେଣି. ଶତ୍ରୁର ଶତ୍ରୁକୁ ବନ୍ଧୁ ଭାବେ ଗ୍ରହଣ କରିବା ନ୍ୟାୟରେ ବିରୋଧୀ ବିଜେପି ଓ କଂଗ୍ରେସ ବି ଦାମବାବୁଙ୍କୁ ସମର୍ଥନ ଦେବେ ବୋଲି ଖବର ମିଳୁଛି. ଏଥିପାଇଁ ବି ଭିତରେ ଭିତରେ ସଂପର୍କ ସ୍ଥାପନ ହେବା ଆରମ୍ଭ ହେଲାଣି. କୌଣସିମତେ ନବୀନଙ୍କ ବିରୋଧରେ ଗୋଟି ଚାଳନା କରିବା ପାଇଁ ସବୁ ନବୀନ ବିରୋଧୀ ମୁଣ଼୍ଡ ଏବେ ଏକାଠି ହୋଇଯାଇଛନ୍ତି. ବିରୋଧୀଙ୍କ ଅପେକ୍ଷା ବିଜେଡିରୁ ବାହାରିଥିବା ନେତାମାନେ ଯଦି ଏକାଠି ହୋଇଯାଆନ୍ତି, ତେବେ ସେମାନେ ବିଜେଡି ପାଇଁ ବେଶୀ କ୍ଷତିକାରକ ସାବ୍ୟସ୍ତ ହେବେ ବୋଲି ରାଜନୀତିକ ମହଲ ଅନୁମାନ କରୁଛନ୍ତି. ଦାମଙ୍କ ଭୟ ଏବେ ସବୁ ବିଜେଡି ନେତାଙ୍କୁ ଆଚ୍ଛନ୍ନ କରି ରଖିଛି. ଦାମଙ୍କୁ ବିରୋଧ କରୁଥିବା ନେତାଙ୍କୁ ସେ କେମିତି ଶୀକାର କରିବେ, ତାର ଚିଠା ପ୍ରସ୍ତୁତ କରାଯାଇଛି.  ବଛା ବଛା ବିଜେଡି ନେତାଙ୍କ ଗଡକୁ ଯାଇ ଦାମବାବୁ ବିଜେଡିର ଭିତିରି କଥା କହିବେ ଓ ନେତାଙ୍କ ଉପରେ ବର୍ଷିବେ. ତେଣୁ ଦାମ ବାବୁଙ୍କ ଗତିବିଧି ଉପରେ ନଜର ରଖିବାକୁ ତୃତୀୟ ମହଲା ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି.

LEAVE A REPLY

Please enter your comment!
Please enter your name here