ବିଭିନ୍ନ ସରକାରୀ ଯୋଜନାରେ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏବେ କାର୍ଯ୍ୟକ୍ଷମ ନ ଥିବା ସମସ୍ତ ଅକାମୀ ଯୋଜନାକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି। ସରକାର ସମସ୍ତ ରାଜ୍ୟ ପରବର୍ତ୍ତୀ ଯୋଜନା ଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ପ୍ରାଥମିକତାପ୍ରାପ୍ତ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ୩ ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ହେବ ବନ୍ଦ । କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନା ଗୁଡିକ ବନ୍ଦ କରାଯିବ । ସମାନ ଧରଣର ଯୋଜନା ଗୁଡ଼ିକୁ ଏକାଠି କରାଯାଇ କେନ୍ଦ୍ରୀୟ ଯୋଜନାରେ କିପରି ହିତାଧିକାରୀ ଅଧିକ ଉପକୃତ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ଯଦି କିଛି ଅଭାବ ରହେ, ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସହାୟତା ଯୋଗାଇ ଦେବେ । ଯୋଜନାଗୁଡ଼ିକର ସଠିକ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ କରାଯାଇ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୀକ୍ଷା ପ୍ରକ୍ରିୟା ଶେଷ କରି ଆଗାମୀ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ଉନ୍ନୟନ କମିଶନରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here