ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମୋଟ 35ଟି ଟୋଲ୍ ଗେଟକୁ ଉଠାଇ ଦିଆଯିବ । ଆଜି ବିଭାଗୀୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହିତ ରାଜ୍ୟ କ୍ୟାବିନେଟ ବୈଠକରେ 19ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । କ୍ୟାବିନେଟ ଅନୁମୋଦନ କରିଥିବା 19ଟି ପ୍ରସ୍ତାବ ମଧ୍ୟରେ ରହିଛି, 2023-24ରେ 79 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ତେବେ ଏହାଠୁ ଅଧିକ ପରିମାଣର ଧାନ ଚାଷୀମାନେ ମଣ୍ଡିକୁ ଆଣିଲେ ସରକାର ସମସ୍ତ ଧାନ କ୍ରୟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ଲକ୍ଷ୍ମ୍ୀ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦେଇଛି ।

ସ୍ବତନ୍ତ୍ର ଆଇନ ଆଧାରରେ ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଏବଂ ବ୍ରହ୍ମପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଏନଆଇଏସଟି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ରାଜ୍ୟ କ୍ୟାବିନେଟ ପେନସନ ପ୍ରଦାନର ସରଳିକରଣ ପାଇଁ ଓଡ଼ିଶା ବେସାମରିକ ପ୍ରଶାସନିକ ସେବା(ପେନସନ) ରୁଲସ-୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଫଳରେ ସରକାରୀ କର୍ମଚାରୀ ଅବସର ନେବାର ୬ମାସ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଓ ପେନସନ ପ୍ରଦାନରେ ବିଳମ୍ବ ପାଇଁ ସମ୍ପୃକ୍ତ ଅଫିସରଙ୍କୁ ଦାୟୀ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here