ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବରେ ଗ୍ରହଣ କରିବେ । ଏସିଡ ଆକ୍ରମଣରେ ପ୍ରମୋଦିନୀଙ୍କର ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ । ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବଢାଇଛନ୍ତି ସରୋଜ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତିକ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡି । ୨୦୦୯ ମସିହାରେ ତିର୍ତ୍ତୋଲ ସ୍ଥିତ ଆଦିକବି ଶାରଳା ଦାସ କଲେଜରେ ଯୁକ୍ତ ଦୁଇ ପଢୁଥିବା ସମୟରେ ଏସିଡ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ରହିଥିଲେ । ଏହାପରେ ପ୍ରମୋଦିନୀ ଧିରେ ଧିରେ ସୁସ୍ଥ ହେବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା । ସରୋଜ ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବା ଯତ୍ନ ମଧ୍ୟ କରିଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ । ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here