ଯେମିତି ଚେହେରା, ସେମିତି ଦମ୍ଭ । କେବେ କୋଉଠି ହାରିବା କି କାହାକୁ ଡରିବାର ଲୋକ ସେ ନୁହଁନ୍ତି । ସେ ନିର୍ବାଚନ ଯୁଦ୍ଧ ହେଉ ଅବା ବିଧାନସଭାରେ ବିରୋଧୀଙ୍କ ସହ ତର୍କ । ନିଜର ବାଗ୍ମିତା ପାଇଁ ସେ ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ଭାଷଣ ମଝିରେ ତାଙ୍କର ଯାତ୍ରା ସଂଳାପ ଲୋକଙ୍କୁ ଯେମିତି ଆମୋଦିତ କରୁଥିଲା, ବିରୋଧୀଙ୍କ ପ୍ରତି ସେମିତି କଟାକ୍ଷ କରୁଥିଲେ ସେ । ୧୦୦ ଘୋଡାକୁ ୧୦୦ ହାତୀ ଏକା ଲଢିବ ମହାରଥୀ ହେଉ ଅବା ହାରିନାହିଁ ମହାରଥୀ, ସରିନାହିଁ ରାଜନୀତି । ରାଜ୍ୟ ରାଜନୀତିରେ ଆଉ ଶୁଣିବାକୁ ମିଳିବନି ଏମିତି ସଂଳାପ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଆଉ ନାହାଁନ୍ତି । ଚିକିତ୍ସିତ ଅବସ୍ଥାରେ ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିପିଲି ବିଧାନସଭାରୁ ସାତଥର ନିର୍ବାଚିତ ହୋଇଥିବା ମହାରଥୀ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମହାରଥୀଙ୍କ ଦେହାନ୍ତରେ ରାଜ୍ୟବ୍ୟାପୀ ଗଭୀର ଶୋକ ପ୍ରକାଶ ପାଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଦଳର ନେତାମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଭୁବନେଶ୍ୱର, ପିପିଲି ଓ ପୁରୀରେ ହଜାର ହଜାର ସମର୍ଥକ ତାଙ୍କ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ଭିତରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।
୧୯୮୫ରେ ଜନତା ପାର୍ଟି ଏବଂ ୧୯୯୦ ରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୧୯୯୫ରେ କିନ୍ତୁ ପରାଜିତ ହୋଇଥିଲେ । ହେଲେ ବିଜୁ ଜନତା ଦଳରେ ଯୋଗଦେବା ପରେ ଲଗାତର ପିପିଲିବାସୀଙ୍କ ଆର୍ଶିବାଦ ପାଇ ନିର୍ବାଚନ ଜିତି ଆସୁଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କୃଷି, ମତ୍ସ୍ୟ ସମ୍ପଦ ଏବଂ ପଞ୍ଚାୟତରାଜ ଭଳି ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି ପ୍ରଦିପ ମହାରଥୀ । ସେ କୃଷି ମନ୍ତ୍ରୀ ଥିବା ସମୟରେ ଓଡିଶାକୁ କୃଷି କର୍ମଣ ପୁରସ୍କାର ବି ମିଳିଛି । ଜଣେ ରାଜନେତା ହିସାବରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପାଠ ପଢିବା ସମୟରୁ ହିଁ ସେ ଛାତ୍ର ରାଜନୀତି ସହିତ ଜଡିତ ଥିଲେ । ପ୍ରଦିପ ମହାରଥୀଙ୍କ ବିୟୋଗ କେବଳ ପିପିଲି ନିର୍ବାଚନମଣ୍ଡଳୀ ପାଇଁ ନୁହେଁ, ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ।

LEAVE A REPLY

Please enter your comment!
Please enter your name here